IMG 20260925 WA0247

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ର ପ୍ରଭାବଶାଳୀ ଓ ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ କର୍ମଶାଳା

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କଲେଜ ଡେଭଲପମେଣ୍ଟ କାଉନସିଲ୍‌ (ସିଡିସି) ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି-୨୦୨୦ର ପ୍ରଭାବଶାଳୀ ଓ ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ ଏକଦିନିଆ କର୍ମଶାଳା ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥାରେ ନୂତନ ଶିକ୍ଷାନୀତି-୨୦୨୦ର ମୂଳ ଲକ୍ଷ୍ୟ, ଏହାର ବିଭିନ୍ନ ଦିଗର ସଠିକ୍‌ ରୂପାୟଣ, ପାଠ୍ୟକ୍ରମ ସଂସ୍କାର, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ପେଶାଗତ ଉନ୍ନତି, ଗବେଷଣା, ଇଣ୍ଟର୍ନସିପ୍‌, ପରୀକ୍ଷା ପଦ୍ଧତି, ଶିଳ୍ପ-ଶିକ୍ଷାନୁଷ୍ଠାନ ସମ୍ପର୍କ ଓ ଉଦ୍ୟମିତା ଆଦି ବିଷୟକୁ ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା । ଉଦ୍‌ଘାଟନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ “ବୃତ୍ତିଗତ ବିକାଶ ଓ ଅନୁଷ୍ଠାନିକ ପରିଚାଳନା” ବିଷୟରେ ଆଲୋଚନା କରି ଶିକ୍ଷକମାନଙ୍କର ନିରନ୍ତର ପେଶାଗତ ବିକାଶ ସହ ଶିକ୍ଷାନୁଷ୍ଠାନର ସୁଶାସନ, ଦାୟିତ୍ୱବୋଧ, ପାରଦର୍ଶିତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ନୂତନ ଶିକ୍ଷାନୀତି-୨୦୨୦ର ସଫଳ ରୂପାୟଣ ପାଇଁ ଶିକ୍ଷକ, ପ୍ରଶାସକ ଓ ଅନୁଷ୍ଠାନର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ ।
ପିଜି କାଉନସିଲ୍‌ର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ତାଙ୍କ ଅଭିଭାଷଣରେ ନୂତନ ଶିକ୍ଷାନୀତି-୨୦୨୦ ଉଚ୍ଚଶିକ୍ଷାକୁ ଅଧିକ ଛାତ୍ରକୈନ୍ଦ୍ରିକ, ବହୁବିଷୟକ ଓ ଦକ୍ଷତାଭିତ୍ତିକ କରିବାର ଏକ ବ୍ୟାପକ ଅବସର ପ୍ରଦାନ କରିଥିବା ଉଲ୍ଲେଖ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା “ପରୀକ୍ଷା ପ୍ରଣାଳୀ ଓ ନୂତନ ଶିକ୍ଷାନୀତି-୨୦୨୦’ ଶୀର୍ଷକ ଆଲୋଚନାରେ ନୂତନ ଶିକ୍ଷାନୀତି-୨୦୨୦ର ଶିକ୍ଷାଦର୍ଶନ ସହ ସମନ୍ୱୟ ରଖି ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ, ନିରନ୍ତର ମୂଲ୍ୟାୟନ ଓ ଛାତ୍ରଛାତ୍ରୀଙ୍କ ବାସ୍ତବ ଦକ୍ଷତା ଆକଳନର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ପରବର୍ତ୍ତୀ ବୈଷୟିକ ଅଧିବେଶନରେ ସିଡିସିର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ “ପାଠ୍ୟକ୍ରମ ସଂସ୍କାର ଓ ସର୍ବାଙ୍ଗୀନ ବିକାଶ” ବିଷୟରେ ଆଲୋଚନା କରି ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ୍ୟକ୍ରମକୁ ଅଧିକ ଲଚିଳା, ବହୁବିଷୟକ ଓ ଛାତ୍ରକୈନ୍ଦ୍ରିକ କରିବା ସହ ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା, ସୃଜନଶୀଳତା, ନୈତିକତା ଓ ବ୍ୟକ୍ତିତ୍ୱର ସମନ୍ୱିତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ୍‌ ‘ସ୍ନାତକ ଛାତ୍ରଛାତ୍ରୀମାନଙ୍କ ପାଇଁ “ଇଣ୍ଟର୍ନସିପ୍/ଗବେଷଣା ଇଣ୍ଟର୍ନସିପ୍” ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଶିଳ୍ପ, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ବୃତ୍ତିଗତ କ୍ଷେତ୍ର ସହ ଯୋଡ଼ିବା ଏବଂ ପ୍ରାୟୋଗିକ ଅଭିଜ୍ଞତା ଓ ଗବେଷଣାମୂଳକ ଦକ୍ଷତା ବିକାଶ ପାଇଁ ଇଣ୍ଟର୍ନସିପ୍‌ ଓ ରିସର୍ଚ୍ଚ ଇଣ୍ଟର୍ନସିପ୍‌ର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ ।
ବିଶ୍ୱବିଦ୍ୟାଳୟର ନୂତନ ଶିକ୍ଷାନୀତି-୨୦୨୦ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ତାଙ୍କ ଉଦ୍‌ବୋଧନରେ ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଦିଗକୁ ଶିକ୍ଷାନୁଷ୍ଠାନ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସିଡିସିର ଉପ-ନିର୍ଦ୍ଦେଶକ ଡ. ଗାର୍ଗୀ ମହାନ୍ତି “ଶିଳ୍ପ-ଏକାଡେମିକ ସମ୍ପର୍କ ଓ ଉଦ୍ୟୋଗମିତା” ବିଷୟରେ ଆଲୋଚନା କରି ଉଚ୍ଚଶିକ୍ଷାନୁଷ୍ଠାନ ଓ ଶିଳ୍ପଜଗତ ମଧ୍ୟରେ ଅଧିକ ସୁଦୃଢ଼ ସମ୍ପର୍କ ସ୍ଥାପନ, ଛାତ୍ରଛାତ୍ରୀଙ୍କ ନବସୃଜନ ଓ ଉଦ୍ୟମିତା ଦକ୍ଷତାର ବିକାଶ ଏବଂ ରୋଜଗାର ସହ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାର ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇ ନୂତନ ଶିକ୍ଷାନୀତି-୨୦୨୦ର ବିଭିନ୍ନ ବ୍ୟବସ୍ଥାକୁ ମହାବିଦ୍ୟାଳୟ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବା, ଏଥିରେ ଦେଖାଦେଉଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ମତବିନିମୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ ।