- ଲେଡି ହାମିଲଟନ୍ ହାଇସ୍କୁଲର ସ୍ୱାଗତିକା ପଣ୍ଡା ପ୍ରଥମ
ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୨୬ଟି ବ୍ଲକରୁ ଚୟନିତ କୃତୀ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ ନିଜର ବିଜ୍ଞାନଭିତ୍ତିକ ଚିନ୍ତନ, ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଏହି ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲେଡି ହାମିଲଟନ୍ ହାଇସ୍କୁଲର ଛାତ୍ରୀ ସ୍ୱାଗତିକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓ.ଏ.ଭି. ଗରୁଡ଼ବସା, ବେତନଟୀର ବ୍ରହ୍ମଶଙ୍କର ମହାନ୍ତ ଦ୍ୱିତୀୟ ଏବଂ ଓ.ଏ.ଭି. ସାନଶୋଳ, ଶାମାଖୁଣ୍ଟାର ପ୍ରୀତିଲତା ବିନ୍ଧାଣୀ ତୃତୀୟ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱାଗତିକା ପଣ୍ଡା ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାରରେ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବେ ।
ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସେମିନାରରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ସମ୍ପର୍କିତ ବିଷୟ ଉପରେ ନିଜର ମତାମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ । ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ, ଅନୁସନ୍ଧାନମୂଳକ ଚିନ୍ତନ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଦିଗରେ ଏହି ସେମିନାର ଏକ ଉପଯୋଗୀ ମଞ୍ଚ ପ୍ରଦାନ କରିଥିଲା ।
ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ ଓ କୃତୀ ପ୍ରତିଯୋଗୀଙ୍କ ଚୟନ ପାଇଁ ଶିକ୍ଷା ପ୍ରଶିକ୍ଷକ ଡ. ପ୍ରିୟ ରଞ୍ଜନ ଦାଶ, ଶ୍ରୀମତୀ ରୂପାଲି ପାତ୍ର ଏବଂ ଶ୍ରୀ ସାଗର କୁମାର ଦଳନାୟକ ବିଚାରକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍ର ସହକାରୀ କ୍ୟୁରେଟର ଶ୍ରୀ ଶଶାଙ୍କ ଶେଖର ମହାନ୍ତ, ସହକାରୀ କ୍ୟୁରେଟର ଶ୍ରୀ ଶୁଭମ୍ ଚିନ୍ତନ ତ୍ରିପାଠୀ, ଶ୍ରୀମତୀ ଶତାବ୍ଦୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ସେମିନାରର ସୁଚାରୁ ପରିଚାଳନାରେ ଶିକ୍ଷକ ଶ୍ରୀ ମନୋଜ ପାତ୍ର, ଶ୍ରୀ ଭୀଷ୍ମଦେବ ମହାନ୍ତ, ଶ୍ରୀ ଅଜିତ ମହାନ୍ତି, ଶ୍ରୀ ମନୋଜ ପରିଡ଼ା, ଶ୍ରୀ ବସନ୍ତ ଦତ୍ତ ଏବଂ ଶ୍ରୀମତୀ ଅତସୀ କୁଣ୍ଡୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଶ୍ରୀ ନୟନ କୁମାର ଗିରି ଉପସ୍ଥିତ ସମସ୍ତ ଅତିଥି, ବିଚାରକ, ଶିକ୍ଷକ ଓ ପ୍ରତିଯୋଗୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
