1

ପୂଜ୍ୟପୂଜା ପାଳନରେ ଜାତି ମହାନ ହୁଏ: ଗଣେଶ୍ୱରପୁର ପୂଜ୍ୟପୂଜା ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

BREAKING NEWS

ଭୁବନେଶ୍ୱର : ପୂଜ୍ୟପୂଜା ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ଆଦର୍ଶ ଓ ମହାନ ପରମ୍ପରା। ଏହି ପରମ୍ପରାର ସୁରକ୍ଷା ଓ ପାଳନ ଦ୍ୱାରା ନୂତନ ପିଢ଼ି ଉପଯୁକ୍ତ ମାର୍ଗଦର୍ଶନ ପାଇବା ସହିତ ନିଜ ଜୀବନକୁ ଉଚ୍ଚ ଆଦର୍ଶରେ ଗଢ଼ିତୋଳିବାକୁ ବାଟ ପାଇଥାଏ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଗଣେଶ୍ୱରପୁର ଶାସନର ପ୍ରାତଃସ୍ମରଣୀୟ ଆଦର୍ଶ ବ୍ୟକ୍ତିତ୍ୱ ତଥା ଶିକ୍ଷକ ଦେବାନ ମୁକୁନ୍ଦ ଦାଶ, ପଣ୍ଡିତ କୃପାସିନ୍ଧୁ ଦାଶ, ପାଣିଗ୍ରାହୀ ପଣ୍ଡିତ ନାରାୟଣ ଦାଶ ଏବଂ ପଣ୍ଡିତ ମାନଗୋବିନ୍ଦ ଦାଶଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଗଣେଶ୍ୱରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂଜ୍ୟପୂଜା ପରିଷଦର ବାର୍ଷିକ ଉତ୍ସବ ତଥା ସ୍ମୃତିଚାରଣ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ ସମାବେଶରେ ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଉପସ୍ଥାପନ କରି କହିଥିଲେ ଯେ ଯେଉଁ ଜାତି ନିଜର ପୂର୍ବପୁରୁଷ ଓ ଗୁରୁଜନଙ୍କ ତ୍ୟାଗ ତଥା ଆଦର୍ଶକୁ ମନେରଖେ, ସେହି ଜାତି ସବୁବେଳେ ପ୍ରଗତି ପଥରେ ଅଗ୍ରସର ହୁଏ। ମୁଖ୍ୟବକ୍ତା ଭାବେ ଲେଖକ ସାମ୍ମୁଖ୍ୟ ଓଡ଼ିଶାର ସାଧାରଣ ସମ୍ପାଦକ ତଥା ପ୍ରଖ୍ୟାତ ନାଟ୍ୟକାର ବିଜୟ କୁମାର ମହାନ୍ତି ଯୋଗଦେଇ ଆଦର୍ଶ ଶିକ୍ଷକମାନଙ୍କ ସମାଜ ଗଠନରେ ଅବଦାନ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।

2

ଏହି ଅବସରରେ ପରିଷଦର ଉଲ୍ଲେଖନୀୟ ଜନହିତକର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘ ୨୦୦୧ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବା ବାଳକ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଏବଂ ବାଳିକା ବିଦ୍ୟାଳୟର ଜଣେ କୃତୀ ଛାତ୍ରୀଙ୍କୁ ପରିଷଦ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଆସୁଛି, ଯାହାକି ସମଗ୍ର ଓଡ଼ିଶାରେ ଏକ ଅନନ୍ୟ ତଥା ବିରଳ ପଦକ୍ଷେପ। ଏଥିସହିତ ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା।

ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭକ୍ତିପୂତ କଣ୍ଠରେ ଗୁରୁବନ୍ଦନା ଗାନ କରିଥିବା ବେଳେ ବିଷ୍ଣୁପ୍ରିୟା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପ୍ରତି ପରଲୋକଗତ ପରିଷଦର ସଦସ୍ୟ ଡାକ୍ତର ରତ୍ନାକର ଦାଶ, ସଦସ୍ୟ ରଘୁନାଥ ମହାପାତ୍ର ଏବଂ ଶିକ୍ଷକ ସତ୍ୟପ୍ରିୟ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଷଦର ସଦସ୍ୟ ପୀତାମ୍ବର ହୋତା ଏବଂ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ନାୟକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପରିଶେଷରେ ପରିଷଦର ସମ୍ପାଦକ ଲିଙ୍ଗରାଜ ହୋତା ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।