Fixed diposit 750x430

ଅକ୍ଟୋବର ୧ରୁ ବିଭିନ୍ନ ବ୍ୟାଙ୍କ ପାଇଁ FDର ନିୟମ ପରିବର୍ତ୍ତନ କରିବ RBI

ଦେଶ - ବିଦେଶ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍‌ ବା FD କରୁଛନ୍ତି, ତେବେ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଜାଣି ରଖିବା ଜରୁରୀ। RBI ପକ୍ଷରୁ FDର ସୁଧ ହାର ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ତେବେ ଏହାର ଅର୍ଥ ଅକ୍ଟୋବର ୧ରୁ ସମସ୍ତ FDର ସୁଧ ହାର ବଢ଼ିବ କିମ୍ବା କମିବ ନୁହେଁ।

ନୂଆ ନିୟମ ଅନୁସାରେ, ସମାନ ଦିନରେ, ସମାନ ରାଶି ଏବଂ ସମାନ ସମୟ ପାଇଁ FD କଲେ ଗୋଟିଏ ବ୍ୟାଙ୍କର ଅଲଗା ଶାଖାରେ ଅଲଗା ସୁଧ ହାର ଦିଆଯାଇପାରିବ ନାହିଁ। ଅର୍ଥାତ୍‌, ଏକ ବ୍ୟାଙ୍କର ଦୁଇଟି ଶାଖାରେ ସମାନ ରାଶି ଓ ସମାନ ସମୟର FD ପାଇଁ ସୁଧ ହାର ସମାନ ରହିବ। FDରେ ଲାଗୁ ହେଉଥିବା ସୁଧ ହାର ବ୍ୟାଙ୍କଗୁଡ଼ିକୁ ନିଜର ଅଫିସିଆଲ୍‌ ୱେବସାଇଟ୍‌ରେ ପୂର୍ବରୁ ଉପଲବ୍ଧ କରାଇବାକୁ ପଡ଼ିବ। ଫଳରେ ଗ୍ରାହକ FD କରିବା ପୂର୍ବରୁ ଅନଲାଇନ୍‌ରେ ସୁଧ ହାର ଓ ଅନ୍ୟ ନିୟମ ଯାଞ୍ଚ କରିପାରିବେ।

୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଜମାକୁ ବଲ୍କ ଡିପୋଜିଟ୍‌ ଭାବେ ଧରାଯାଉଛି। ଏଭଳି ବଡ଼ ଜମା ପାଇଁ ବ୍ୟାଙ୍କଗୁଡ଼ିକୁ ପ୍ରତିଦିନ ସକାଳ ୧୦ଟା ସୁଦ୍ଧା ନିଜ ୱେବସାଇଟ୍‌ରେ ଲାଗୁ ସୁଧ ହାର ପ୍ରକାଶ କରିବାକୁ ପଡ଼ିବ। ଏଥିପାଇଁ ୧୦ ମିନିଟ୍‌ର ଗ୍ରେସ୍‌ ପିରିୟଡ୍‌, ଅର୍ଥାତ୍‌ ୧୦ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ସମୟ ରହିବ। ବ୍ୟାଙ୍କ ନିଜର ଲିକ୍ୱିଡିଟି ରିସ୍କ ଅନୁସାରେ ଭିନ୍ନ ବଲ୍କ ଡିପୋଜିଟ୍‌ ପାଇଁ ଭିନ୍ନ ସୁଧ ହାର ଧାର୍ଯ୍ୟ କରିପାରିବ।

ଅକ୍ଟୋବର ୧ ପୂର୍ବରୁ କରାଯାଇଥିବା FDର ସୁଧ ହାର ନୂଆ ନିୟମ ଯୋଗୁଁ ବଦଳିବ ନାହିଁ। FD ମ୍ୟାଚୁରିଟି ହେବା ପର୍ଯ୍ୟନ୍ତ ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିୟମ ଅନୁସାରେ ସୁଧ ମିଳିବ। ଏହି ନୂଆ ନିୟମ କମର୍ସିଆଲ୍‌ ବ୍ୟାଙ୍କ, ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ରିଜିଓନାଲ୍‌ ରୁରାଲ୍‌ ବ୍ୟାଙ୍କ, ଲୋକାଲ୍‌ ଏରିଆ ବ୍ୟାଙ୍କ, ପେମେଣ୍ଟ୍‌ସ ବ୍ୟାଙ୍କ ଏବଂ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ସମେତ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକରେ ଲାଗୁ ହେବ। ତେଣୁ ନୂଆ FD କରିବା ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କର ଅଫିସିଆଲ୍‌ ୱେବସାଇଟ୍‌ରେ ସୁଧ ହାର, ଅବଧି ଓ ଅନ୍ୟ ସର୍ତ୍ତ ନିଶ୍ଚୟ ଯାଞ୍ଚ କରନ୍ତୁ।