39206de8 3ff4 4ac6 88bb 4c33c20d242e

ଓଡ଼ିଆ ଶିକ୍ଷା ଓ ପ୍ରତିଷ୍ଠାନ ଗୁଡିକ ରକ୍ଷା କରିବା ପାଇଁ ପ୍ରବାସର ସମସ୍ତ ଓଡ଼ିଆ ଆଗେଇ ଆସିବାକୁ ଆହ୍ୱାନ

ରାଜ୍ୟ

କଲିକତା  : ପଶ୍ଚିମ ବଙ୍ଗରେ ଥିବା ସମସ୍ତ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ଗୁଡିକର ସର୍ବାଙ୍ଗୀନ ଉନ୍ନତି ଛଡ଼ା ଉଚ୍ଚ ଶିକ୍ଷା ଉନ୍ନତି ଓ ବିକଶିତ ଆଦୌ ଅସମ୍ଭବ ବୋଲି ଏକ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବରେ ଗତ ୨୦.୦୯.୨୦୨୬ ଉତ୍ତର ଚବିଶ ପ୍ରଗଣା ଲକ୍ଷ୍ମୀ ଘାଟ ନିକଟସ୍ଥ କଚ୍ଚା ଲାଇନ ଉତ୍କଳ ଶ୍ରମିକ ଯୁବକ ସଂଗଠନ ସଂଲଗ୍ନ ପଡ଼ିଆରେ ଉପସ୍ଥିତ ବକ୍ତା ଗଣ ମତ ପ୍ରକାଶ କରିଥିଲେ। ଟିଟାଗଡ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ସଂଗଠନ ତରଫରୁ ଉକ୍ତ ପଞ୍ଚମ ବାର୍ଷିକ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଗଠନ କରିବାର ମୂଳ କାଣ୍ଡରୀ ଓ ଆଦର୍ଶ ଶିକ୍ଷକ ସ୍ୱର୍ଗୀୟ ଗୋପୀ ମୋହନ ପତି ଓ ସ୍ୱର୍ଗୀୟ ଅନାଦି ଚରଣ ଦାସଙ୍କ ସ୍ମରଣରେ ଉତ୍ସର୍ଗିତ କରା ଯାଇଥିଲା। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ଓ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ କାହ୍ନୁ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରି କହିଲେ ପ୍ରବାସରେ ଶିକ୍ଷା ଓ ସଂସ୍କୃତିର ବିକାଶ ପାଇଁ ଟିଟାଗଡ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଭୂମିକାକୁ ଭୂୟସୀ ପ୍ରଂଶସା କରିବା ସହ ସମସ୍ତ ସ୍ତରରେ ଜନଗଣଙ୍କୁ ନେଇ ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ପୂର୍ବ ସ୍ଥାନରେ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ବିଶେଷ ଅତିଥି ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼: ରାଜୀବ ଲୋଚନ ମହାପାତ୍ର ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ ଓ ଜନ ଗଣଙ୍କୁ ନିଜର ସ୍ୱାଭିମାନ ଓ ପରିଚାୟକୁ ରକ୍ଷା କରିବା ପାଇଁ ମାତୃ ଭାଷାରେ ଶିକ୍ଷା ଓ ପ୍ରସାର ପାଇଁ ତାଙ୍କ ବକ୍ତବ୍ୟ ଦେଇ ସମସ୍ତଙ୍କୁ ପ୍ରେରିତ କରିଥିଲେ। ସେ ଓଡ଼ିଶାରୁ ମାତୃ ଭାଷାରେ ଅଧ୍ୟୟନ କରି ଆଜି ପଶ୍ଚିମ ବଙ୍ଗର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ପାରିଛନ୍ତି। ତେଣୁ ଓଡ଼ିଆ ଶିକ୍ଷାକୁ କେବେ ଅଣ ଦେଖା ନକରି ତାହାର ଶ୍ରୀବୃଦ୍ଧି କ୍ଷେତ୍ରରେ ସମସ୍ତଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ।

ବିଶିଷ୍ଟ ସମାଜସେବୀ ଓ ସଂଗଠକ ଶ୍ରୀ ପୀତାମ୍ବର ବାରିକ୍ ପଶ୍ଚିମ ବଙ୍ଗର ପାଞ୍ଚୋଟି ଓଡ଼ିଆ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ପ୍ରାକ୍ତନ ଛାତ୍ର ଛାତ୍ରୀ ଏପରି ଅନୁଷ୍ଠାନ ଗଠନ କରି ମାତୃ ଭାଷା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକ ରକ୍ଷା କରିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ ନକଲେ ସମସ୍ତ ଅନୁଷ୍ଠାନ ଗୁଡ଼ିକ ଧୀରେ ଧୀରେ ଲୋପ ପାଇ ଯିବ ବୋଲି ଅଭିମତ କରିଥିଲେ।
ସ୍ୱର୍ଗୀୟ ଗୋପୀ ମୋହନ ପତିଙ୍କ କନିଷ୍ଠ କନ୍ୟା ମଞ୍ଜୁଲତା ପତି ପାଣି ଓ ସ୍ୱର୍ଗୀୟ ଅନାଦି ଚରଣ ଦାସଙ୍କ କନିଷ୍ଠ ପୁତ୍ର ଶ୍ରୀ ଆନନ୍ଦ ଶଙ୍କର ଦାସ ତାଙ୍କର ପରିବାର ବର୍ଗର ସଦସ୍ୟ ଓ ସଦସ୍ୟା ଙ୍କ ସହ ଉକ୍ତ ଅନୁଷ୍ଠାନରେ ଯୋଗ ଦେଇ ପ୍ରବାସରେ ଓଡ଼ିଆ ଶିକ୍ଷା ପ୍ରତିଷ୍ଠାନ ଗଢ଼ି ତୋଳିବାରେ ସେମାନଙ୍କ ସ୍ୱର୍ଗୀୟ ପିତାଙ୍କ ଭୂମିକାକୁ ସ୍ମରଣ କରାଇ ଆଜିର ପ୍ରଜନ୍ମଙ୍କୁ ଶିକ୍ଷା ନେବା ଅନୁରୋଧ କରିଥିଲେ। ଓଡ଼ିଆ ସାହିତ୍ୟ ପତ୍ରିକା “ଭଞ୍ଜଧାରା” ର ପଞ୍ଚମ ସଂସ୍କରଣ ଉପସ୍ଥିତ ଅତିଥିଗଣ ଉନ୍ମୋଚନ କରିଥିଲେ। ସାହିତ୍ୟ ଓ ଶିକ୍ଷାର ପ୍ରସାର ଓ ବୃଦ୍ଧି ପାଇଁ ଗତ କିଛି ବର୍ଷ ଧରି ଏହା ଏକ ପ୍ରମୁଖ ଭୂମିକା ପାଳନ କରିଚାଲିଛି ବୋଲି ପତ୍ରିକା ଯୁଗ୍ମ ସମ୍ପାଦକ ଶ୍ରୀ ଅମର କୁମାର ପଟ୍ଟନାୟକ ଓ ଶ୍ରୀ ଦୋଳ ଗୋବିନ୍ଦ ପଣ୍ଡା ମତ ବ୍ୟକ୍ତ କରିଥିଲେ।
ସମ୍ପାଦକ ଗଣେଶ ମିଶ୍ର ପ୍ରାରମ୍ଭିକ ଭାଷଣରେ ବିଗତ ପାଞ୍ଚ ବର୍ଷର ବିବରଣୀ ପାଠ କରିବା ସହ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ପରିସ୍ଥିତି ନେଇ ବ୍ୟାଖ୍ୟା କରି ଥିଲେ। ଆଗାମୀ ଦିନର କର୍ମସୂଚୀ ସମ୍ପର୍କରେ ଉପସ୍ଥିତ ଜନଗଣଙ୍କୁ ଅବଗତ କରାଇଥିଲେ। ସଂଗଠନର ସଭାପତି ଶ୍ରୀ ହେମନ୍ତ କୁମାର ବିଶ୍ୱାଳ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଓଡ଼ିଆ ଶିକ୍ଷାର ବର୍ତ୍ତମାନ ପରିସ୍ଥିତି ନେଇ ଦୁଃଖ ପ୍ରକାଶ କରିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ଏ ବିଷୟରେ ଧ୍ୟାନ ଦେବାକୁ ସେ ପ୍ରାର୍ଥନା କରିଥିଲେ। ସଂଗଠନ ତରଫରୁ ଶ୍ରୀ ଗୌରାଙ୍ଗ ପାତ୍ର ଓ ଉତ୍କଳ ଶ୍ରମିକ ଯୁବକ ସଂଘ ପକ୍ଷରୁ ଶ୍ରୀ ରାହୁଲ ବିଶ୍ୱାଳ ସମସ୍ତ ଅତିଥିଙ୍କ ସହ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଅଧ୍ୟାପକ ଧୃତିସୁନ୍ଦର ଦାସ ଏବଂ ଅଧ୍ୟାପିକା ସାଇପ୍ରଭା ମିଶ୍ର, ,ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗ ସଂସ୍ଥାନ, ବନହୁଗଲି, କୋଲକାତାରୁ ଉକ୍ତ ଅନୁଷ୍ଠାନରେ ଉପସ୍ଥିତ ଥିଲେ ।
ସମଗ୍ର ପଶ୍ଚିମ ବଙ୍ଗର ୬ ଟି ପ୍ରାଥମିକ ଓ ୩ ଟି ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ସହ କାରାଟେରେ ବ୍ଲାକବେଲ୍ଟ ହାସଲ କରିଥିବା ମଧୁସ୍ମିତାକୁ ସମ୍ବର୍ଦ୍ଧନା ଓ ପୁରସ୍କୃତ କରା ଯାଇଥିଲା।