- ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି
ବାରିପଦା: ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର–ବାଦାମପାହାଡ଼ ଅଞ୍ଚଳର ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଦାବିରେ ପୂର୍ବତନ ବହଳଦା ବିଧାୟକ ତଥା ଅଖିଳ ଭାରତୀୟ ଆଦିବାସୀ କଂଗ୍ରେସର ଜାତୀୟ ସଂଯୋଜକ (ଇନ୍ଚାର୍ଜ, ଆସାମ) ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଏକ ସ୍ମାରକପତ୍ର, ରାଇରଙ୍ଗପୁର ଷ୍ଟେସନ ମ୍ୟାନେଜର ଶ୍ରୀ ସୁରେଶ ସୋରେନଙ୍କ ମାଧ୍ୟମରେ ଆଜି ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ବାଦାମପାହାଡ଼–ରାଇରଙ୍ଗପୁରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରାଇବା ସହିତ ବର୍ତ୍ତମାନ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନ୍କୁ ଦୈନିକ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ରେ ପରିଣତ କରିବାକୁ ଦାବି କରାଯାଇଛି। ଶ୍ରୀ ପୂର୍ତ୍ତି ଦର୍ଶାଇଛନ୍ତି ଯେ, ରାଇରଙ୍ଗପୁର ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ପୈତୃକ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହି ଅଞ୍ଚଳ ଏପର୍ଯ୍ୟନ୍ତ ନୂଆଦିଲ୍ଲୀ ସହ ସିଧାସଳଖ ଉନ୍ନତ ରେଳ ଯୋଗାଯୋଗରୁ ବଞ୍ଚିତ। ଏକ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରାଗଲେ ମୟୂରଭଞ୍ଜ ଓ ଆଖପାଖର ଆଦିବାସୀ ଅଞ୍ଚଳର ଲୋକଙ୍କ ଦିଲ୍ଲୀ ଯାତାୟାତ ସୁଗମ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବାଣିଜ୍ୟ ଓ ପ୍ରଶାସନିକ କାର୍ଯ୍ୟରେ ସୁବିଧା ମିଳିବ।
ସେହିପରି ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନ୍କୁ ସାରାବର୍ଷ ଦୈନିକ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରାଗଲେ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ଲୋକମାନେ ଭୁବନେଶ୍ୱର ଓ ପୁରୀ ସହ ନିୟମିତ ରେଳ ସଂଯୋଗ ପାଇପାରିବେ। ଏହା ଛାତ୍ରଛାତ୍ରୀ, ରୋଗୀ, କର୍ମଚାରୀ, ବ୍ୟବସାୟୀ, ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ଦୁଇଟି ରେଳ ସେବା ଦାବି ମଞ୍ଜୁର ହେଲେ ମୟୂରଭଞ୍ଜର ଆଦିବାସୀ ଅଞ୍ଚଳର ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିକ୍ଷା, ବାଣିଜ୍ୟ, ନିଯୁକ୍ତି ଓ ଆର୍ଥିକ ବିକାଶକୁ ନୂତନ ଗତି ମିଳିବ ବୋଲି ଶ୍ରୀ ପୂର୍ତ୍ତି ଆଶା ପ୍ରକାଶ କରିଛନ୍ତି। ସ୍ମାରକପତ୍ରର ପ୍ରତିଲିପି ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଏବଂ ଚକ୍ରଧରପୁର ଡିଭିଜନର ଡିଭିଜନାଲ୍ ରେଳବାଇ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି।
