- ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର, ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ
ବାରିପଦା: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଆଇଆର)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୋଟର୍ ତାଲିକା ପ୍ରକାଶନର ସ୍ୱତନ୍ତ୍ର ବୈଠକରେ ଜିଲ୍ଲାର ୯ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶ କରାଯାଇଛି । ଆଜିର ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୧୮,୩୬,୮୨୨କୁ ବୃଦ୍ଧି ପାଇଛି । ଯେଉଁଥିରେ ୯,୧୬,୨୭୫ ଜଣ ପୁରୁଷ ଏବଂ ୯,୨୦,୪୮୨ ଜଣ ମହିଳା ଭୋଟର ଥିବା ବେଳେ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୬୫ ରହିଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ସମଗ୍ର ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୪,୨୦୭ ଅଧିକ ରହିଛି । ଏଠାରେ ଉଲ୍ଲେଖଥାଉକି, ୨୦୨୬ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ମେ’ ୩୦ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନଙ୍କ ଦ୍ୱାରା ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରାଯାଇଥିଲା । ୨୮ ଜୁନ ୨୦୨୬ରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ତଥା ନୂତନ ମତଦାନ କେନ୍ଦ୍ର ନିର୍ଦ୍ଧାରଣ ସମ୍ପନ୍ନ ହେବା ପରେ ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଦାବି ତଥା ଆପତ୍ତି ଗ୍ରହଣ କରାଯାଇଥିଲା । ସେପ୍ଟେମ୍ବର ୧୭ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଫଇସଲା କରାଯାଇ ଆଜି ଏହି ଚୂଡ଼ାନ୍ତ ତାଲିକା ଜାରି କରାଯାଇଛି ।
ଭୋଟରମାନଙ୍କ ସୁବିଧା ନିମନ୍ତେ ଜିଲ୍ଲାରେ ପୂର୍ବରୁ ଥିବା ୨,୩୭୨ଟି ମତଦାନ କେନ୍ଦ୍ରକୁ ଯୁକ୍ତି ସଙ୍ଗତ ପୁନର୍ବିନ୍ୟାସ କରାଯାଇ ଆଉ ୩୫୨ଟି ନୂତନ ବୁଥ୍ ଯୋଡ଼ାଯାଇଛି । ଫଳରେ ଜିଲ୍ଲାରେ ସର୍ବମୋଟ ମତଦାନ କେନ୍ଦ୍ର/ବୁଥ୍ ସଂଖ୍ୟା ୨,୭୨୪ରେ ପହଞ୍ଚିଛି ।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୬-ଯଶୀପୁର ନିର୍ବାଚନମଣ୍ଡଳୀରେ ୧,୦୫,୭୯୬ ପୁରୁଷ, ୧,୦୫,୫୩୯ ମହିଳା ଓ ୧ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ମୋଟ ୨,୧୧,୩୩୬ ଭୋଟର ରହିଛନ୍ତି । ୨୭-ସାରସକଣାରେ ୯୭,୦୯୯ ପୁରୁଷ, ୯୭,୩୨୬ ମହିଳା ଓ ୬ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ମୋଟ ୧,୯୪,୪୩୧ ଭୋଟର ରହିଛନ୍ତି । ୨୮-ରାଇରଙ୍ଗପୁରରେ ୧,୦୫,୩୩୨ ପୁରୁଷ, ୧,୦୬,୧୬୩ ମହିଳା ଓ ୩ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ମୋଟ ୨,୧୧,୪୯୮ ଭୋଟର ରହିଛନ୍ତି ।
ସେହିପରି, ୨୯-ବାଙ୍ଗିରିପୋଷିରେ ୧,୦୫,୮୩୮ ପୁରୁଷ, ୧,୦୫,୭୬୭ ମହିଳା ଓ ୬ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୨,୧୧,୬୧୧ ଭୋଟର; ୩୦-କରଞ୍ଜିଆରେ ୯୪,୭୧୭ ପୁରୁଷ, ୯୫,୨୬୧ ମହିଳା ଓ ୬ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୧,୮୯,୯୮୪ ଭୋଟର ଏବଂ ୩୧-ଉଦଳାରେ ୯୭,୩୮୧ ପୁରୁଷ, ୯୯,୦୫୪ ମହିଳା ଓ ୨ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୧,୯୬,୪୩୭ ଭୋଟର ରହିଛନ୍ତି ।
୩୨-ବଡ଼ସାହିରେ ୯୪,୩୫୩ ପୁରୁଷ, ୯୩,୬୫୦ ମହିଳା ଓ ୨୯ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୧,୮୮,୦୩୨ ଭୋଟର; ୩୩-ବାରିପଦାରେ ୧,୦୩,୫୯୦ ପୁରୁଷ, ୧,୦୭,୦୪୭ ମହିଳା ଓ ୫ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୨,୧୦,୬୪୨ ଭୋଟର ଏବଂ ୩୪-ମୋରଡ଼ାରେ ୧,୧୨,୧୬୯ ପୁରୁଷ, ୧,୧୦,୬୭୫ ମହିଳା ଓ ୭ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ସର୍ବାଧିକ ୨,୨୨,୮୫୧ ଭୋଟର ତାଲିକାଭୁକ୍ତ ହୋଇଛନ୍ତି ।
ଏହି ଅବସରରେ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଜିଲ୍ଲାପାଳ ହେମକାନ୍ତ ସୟ କହିଥିଲେ ଯେ, ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ନିର୍ବାଚକ ତାଲିକାରେ ସାମିଲ କରିବା ସହ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ନିର୍ଦ୍ଧାରିତ ପ୍ରକ୍ରିୟାରେ ବାଦ ଦେଇ ତାଲିକାକୁ ଅଦ୍ୟତନ ରଖାଯାଉଛି । ଚୂଡ଼ାନ୍ତ ତାଲିକାରେ ନାମ ନଥିବା କିମ୍ବା ତଥ୍ୟରେ ସଂଶୋଧନ ଆବଶ୍ୟକ ଥିବା ଯୋଗ୍ୟ ନାଗରିକମାନେ ବର୍ଷସାରା ଉପଲବ୍ଧ ଥିବା ସୁଯୋଗରେ ନାମ ପଞ୍ଜୀକରଣ କିମ୍ବା ଆବଶ୍ୟକ ସଂଶୋଧନ କରାଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଈଶ୍ୱର ଚନ୍ଦ୍ର ନାଏକ, ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବଡସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡା ଓ ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଉପ ଜିଲ୍ଲାପାଳ ରାଖାଲ ଚନ୍ଦ୍ର ପରିଡ଼ା ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ ।
