Opd

ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ

ରାଜ୍ୟ

ବାଙ୍ଗିରିପୋଷି: ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା । ଡାକ୍ତର ଅନୁପସ୍ଥିତିକୁ ନେଇ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟ । ମୁଣ୍ଢାକଟା ଗାଁର ବେହେରା ସାହିର ରାଜା ବେହେରାଙ୍କ ଦୁଇ ବର୍ଷର ଶିଶୁ ଘରେ ଖେଳୁଥିବା ବେଳେ ଟେବୁଲ୍ ଫ୍ୟାନର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା । ପରିବାର ଲୋକେ ତାକୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ଉପସ୍ଥିତ ନଥିବାରୁ ପ୍ରଥମେ ଶିର୍ଷା ଶେଷରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇଥିଲେ ।

ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ତେବେ ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଚିକିତ୍ସା ମିଳିଥିଲେ ଶିଶୁର ଜୀବନ ବଞ୍ଚିପାରିଥାନ୍ତା ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ଘଟଣା ପରେ ଝାରପୋଖରୀଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରିଛି ।