IMG 20260919 WA0312

ବାରିପଦାରେ ଓଏଭି ଫାଉଣ୍ଡେସନ୍ ଡେ ‘SPARK’ ପାଳିତ

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବାରିପଦାସ୍ଥିତ ସହିଦ ସ୍ମତି ଭବନଠାରେ ଓଏଭି ଫାଉଣ୍ଡେସନ୍ ଡେ ‘SPARK’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ, ସମସ୍ୟା ସମାଧାନ କୌଶଳ ଏବଂ ସୃଜନଶୀଳ ଚିନ୍ତନର ବିକାଶ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ବିଜ୍ଞାନ, ପ୍ରଯୁକ୍ତି, ନୂତନ ଚିନ୍ତାଧାରା ଓ ସୃଜନଶୀଳ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ ହେବା ଆବଶ୍ୟକ ବୋଲି କହିଥିଲେ। ଛାତ୍ରଜୀବନରୁ ନିଜର ପ୍ରତିଭା ଓ ଦକ୍ଷତାକୁ ଚିହ୍ନଟ କରି ତାହାର ବିକାଶ ଦିଗରେ ନିରନ୍ତର ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଦୁଃଖବନ୍ଧୁ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଜ୍ଞାନର ଆବଶ୍ୟକତା ଓ ଅନୁସନ୍ଧାନମୂଳକ ଚିନ୍ତାଧାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।  ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ର ଉତ୍ପତି ଓ ଛାତ୍ର ଛାତ୍ରୀ ମାନେ ଦ୍ଵାଦଶ ପାସ କରିବା ପରେ  ଉଚ୍ଚ ଶିକ୍ଷା ନିମନ୍ତେ NEET, JE ଓ ବର୍ତ୍ତମାନର ପରିବର୍ତ୍ତନଶୀଳ ଯୁଗରେ ନୂତନ ଜ୍ଞାନ ଆହରଣ,  ନିଜେ ଚିନ୍ତା କରିବା ଏବଂ ନୂତନ କିଛି ସୃଷ୍ଟି କରିବାର ମାନସିକତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘SPARK’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏହାର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବିଜ୍ଞାନକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ଦେଖିବା ଏବଂ ନୂତନ ଧାରଣାକୁ କାର୍ଯ୍ୟରୂପ ଦେବା ଦିଗରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ସେ ପ୍ରେରଣା ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମୟୂରଭଞ୍ଜ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ନିଜ ଅଭିଭାଷଣରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ସହିତ ସେମାନଙ୍କର ବହୁମୁଖୀ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ପ୍ରକାଶ କରିଥିଲେ। ଏହି ଅବସରରେ ଓଏଭି ବଡଡାଲିମା, ତିରିଂର ଅଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା ଓ ଓଏଭି ଶାମାଖୁଣ୍ଟାର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର କୁମାର ପାଢ଼ୀ ତଥା ଜିଲ୍ଲାର ବିଭିନ୍ନ ଓଏଭିର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ସିଂହ, ଶ୍ରୀ ଗୌତମ କୁମାର ପାତ୍ର ଓ ଶ୍ରୀ ଶଶୀଧର ସିଂହଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ଉପସ୍ଥିତ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ‘SPARK’ ଫାଉଣ୍ଡେସନ୍ ଡେ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ରିତ ହୋଇ ନିଜର ଚିନ୍ତାଧାରା, ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ସୁଯୋଗ ପ୍ରଦାନ କରିଛି । ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ, ଅନୁସନ୍ଧାନର ମାନସିକତା ଓ ସୃଜନଶୀଳ ଚିନ୍ତନର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ।
 କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଓଏଭି ରାଣୀ ଭୋଳର ଛାତ୍ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ଶେଷରେ  ଓଏଭି ମୋରଡ଼ାର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।