- ଯୋଗଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ପଡ଼ିଆ ଠାରେ ଆଦିବାସୀ ହୋ ସମାଜ ମହାସଭା ପକ୍ଷରୁ ହୋ ସମ୍ପ୍ରଦାୟର ମହାନ ଭାଷାବିତ୍ ତଥା ଓରାଙ୍ଗ ଚିତି ଲିପିର ସ୍ରଷ୍ଟା ଅତ୍ ଗୁରୁ ଲାକୋ ବଦ୍ରାଙ୍କ ୧୦୭ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଜାମଦା ବସଷ୍ଟାଣ୍ଡ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ହଜାର ହଜାର ହୋ ସମ୍ପ୍ରଦାୟର ଲୋକଙ୍କ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା। ରାଲିରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ହୋ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।ସମାରୋହରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇଥିବା ବେଳେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରରୁଆଁ ବ୍ଲକ ଅଧକ୍ଷ ଅଜିତ ତିରିଆ ଓ ବରିଷ୍ଠ ନେତା ନବୀନ ରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଅତ ଗୁରୁ ଲାକୋ ବଦ୍ରାଙ୍କ ଜୀବନୀ, ସାହିତ୍ୟ ଓ ହୋ ସମ୍ପ୍ରଦାୟ ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ବିଶେଷକରି ହୋ ଭାଷା ଓ ଓରାଙ୍ଗ ଚିତି ଲିପିର ସୁରକ୍ଷା, ପ୍ରଚାର ଓ ପ୍ରସାର ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଓରାଙ୍ଗ ଚିତି ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ନେଇ ମଧ୍ୟ ଦାବି ଓ ଆଲୋଚନା ହୋଇଥିଲା।ଏହି ଅବସରରେ ମନ୍ତ୍ରୀ ଓ ସାଂସଦ ନିଜ ଅଭିଭାଷଣରେ ହୋ ସମ୍ପ୍ରଦାୟର ଭାଷା, ଲିପି, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସଚେତନତା ଓ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ। ଲାକୋ ବଦ୍ରାଙ୍କ ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା।ଜୟନ୍ତୀ ସମାରୋହକୁ ନେଇ ଜାମଦା ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ଦେଖାଦେଇଥିଲା। ହୋ ସମ୍ପ୍ରଦାୟର ପାରମ୍ପରିକ ପୋଷାକ, ନୃତ୍ୟ, ବାଦ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସମାରୋହରେ ବହୁ ସଂଖ୍ୟାରେଲୋକ ଯୋଗଦେଇଥିଲେ । ଏହି କାର୍ଯକ୍ରମରେ ସ୍ୱାଗତ ଅଭିଭାଷଣ ଧାନୀ ଗୋଇପାଇ ରଖିଥିବା ବେଳେ ପରିଚାଳନାରେ ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ ବିଜେପି ଯୁବ ନେତା ବିଜୁ ଗୋପାଳ ଗୋପ, ତୁରାମ ଦେଓଗାମ, ସସ୍ମିତା ଗିରି, ମାଳତୀ ଆଲଡା, କାଲାଚାନ୍ଦ ପାଚେରୀ,ମନରଞ୍ଜନ ତିରିଆ, ରାଜେଶ ବର୍ଦା, ଆଡ଼ଭୋକେଟ ବିର୍ଷା କଣ୍ଡାଙ୍ଗକେଲ, ତ୍ରିନାଥ ନାଏକ, କକେ ତିରିଆ, ଭୀମ ଚରଣ ପୂର୍ତ୍ତି, କିଣାରାମ ବିରୁଆ, ଅଜିତ ଭାଇ | ସେହିପରି କୁସୁମୀ ବ୍ଲକ ଭୁଟକାବାଦୀ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମର ଲାକୋ ବଦରା ଛକଠାରେ ଅଲଗୁରୁ ଲାକୋ ବଦ୍ରା ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଅଛି ।
କାର୍ଯ୍ୟକ୍ରମ ପୂର୍ବରୁ ଗ୍ରାମର ଦେହୁରୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ପରେ ଲାକୋ ବଦରା ଙ୍କ ସ୍ମୃତିସ୍ଥଳରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ହୋ-ଆଲବମ୍ର ଅଭିନେତା ଅରବିନ୍ଦ ଟିୟୁ, ଅବସରପ୍ରାପ୍ତ ସେନା କର୍ମଚାରୀ ନନ୍ଦୁରାମ ବାର୍ଦ୍ଦା, ଲଦୁରା ବନରା ମାଷ୍ଟର, ଜଟିଆ ସାଂୟା, ଘନଶ୍ୟାମ ପିଙ୍ଗୁଆ, ରାମେଶ୍ୱର କୋଣ୍ଡାଙ୍କେଲ, ଦାମୋଦର ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଗୀତ ମାଧ୍ୟମରେ ସ୍ୱାଗତ କରାଯାଇ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନିଆଯାଇଥିଲା।
ଏହି ଅବସରରେ ପ୍ରହ୍ଲାଦ ପୂର୍ତ୍ତି କ୍ଲବର ସଦସ୍ୟମାନଙ୍କ ସହ ଆଲୋଚନା କରି ଆସନ୍ତା ବର୍ଷ ପଣ୍ଡିତ ଅତଗୁରୁ କୋଲ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଯୁବସମାଜ ଆଗେଇ ଆସି ଦାୟିତ୍ୱ ନେଲେ ଆଦିବାସୀ ସମାଜ ଆହୁରି ଅଧିକ ସକ୍ରିୟ ଓ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ପ୍ରମୁଖ ସଦସ୍ୟ ଅନିଲ କୁମାର ବିରୁଆ, ଲମ୍ବୋଦର ବନରା, ହିନ୍ଦୁ ପୂର୍ତ୍ତି, ସିଦ୍ଧେଶ୍ୱର ବିରୁଆ, ନନ୍ଦୁରାମ ବରଦା, ମଟା ବିରୁଆ, ସର୍ଦାର ବରଦାଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।ଶେଷରେ ଲମ୍ବୋଦର ବନରା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
