AA

TMC ନିର୍ବାଚନ ଚିହ୍ନ ଉପରେ ରୋକକୁ ନେଇ ECଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି ଓ କେଜରିୱାଲ

ଦେଶ - ବିଦେଶ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧି ଶୁକ୍ରବାର ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ (ଏଆଇଟିଏମସି)ର ନାମ ଓ ନିର୍ବାଚନ ଚିହ୍ନ ନିଲମ୍ବନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନ୍ତରୀଣ ଆଦେଶକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଓ ନିର୍ବାଚନ ଆୟୋଗ ଦେଶରେ ବିରୋଧୀ ଦଳଙ୍କୁ ଦୁର୍ବଳ କରିବା ପାଇଁ ମିଳିମିଶି କାମ କରୁଛନ୍ତି। ଏଥିରେ ସେ ‘ଦଳ ଚୋରି’କୁ ଭାରତୀୟ ଗଣତନ୍ତ୍ର ପତନର ନବୀନତମ ସଂକେତ ବୋଲି କହିଛନ୍ତି।

କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତୃଣ ମୂଳ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କ ନେତୃତ୍ୱ ବିବାଦ ସମାଧାନ ପର୍ଯ୍ୟନ୍ତ ପାର୍ଟିର ନାମ ଓ ପାରମ୍ପରିକ ନିର୍ବାଚନ ଚିହ୍ନ ବ୍ୟବହାରକୁ ନିଷିଦ୍ଧ କରିବାର ଦିନକ ପରେ ଆସିଛି। ସେହିପରି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି କ’ଣ ନିର୍ବାଚନ ଏହି ଭଳି ଜିତି ହୁଏ? ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ବିଜେପି ଓ ନିର୍ବାଚନ ଆୟୋଗ ଶିବସେନା, ଏନସିପି ଓ ଏବେ ତୃଣ ମୂଳ କଂଗ୍ରେସ ବିବାଦରେ ସମାନ ପାଟର୍ଣ୍ଣ ପାଳନ କରିଛନ୍ତି।

ସେ କହିଛନ୍ତି ପ୍ରଥମେ ଶିବସେନା, ପରେ ଏନସିପି ଓ ଏବେ ତୃଣ ମୂଳ କଂଗ୍ରେସ୍, ସବୁ ଥର ଏକା ପାଟର୍ଣ୍ଣ ଦୋହରା ଯାଉଛି। ବିଜେପି ଓ ନିର୍ବାଚନ ଆୟୋଗ ମିଶି କୌଣସି ପାର୍ଟିକୁ ଭାଙ୍ଗି ଦିଅନ୍ତି ଓ ନିର୍ବାଚନ ଆୟୋଗ ପାର୍ଟିର ନିର୍ବାଚନ ସଂକେତ ଛଡାଇ ନିଅନ୍ତି। ଯେତେବେଳେ ପୁରା ପାର୍ଟି ହିଁ ଚୋରି ହୋଇ ପାରୁଛି, ସେତେବେଳେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଲକ୍ଷଲକ୍ଷ ଭୋରତୀୟଙ୍କ ଭୋଟ ମଧ୍ୟ ଚୋରି ହୋଇପାରେ। ଭୋଟ ଚୋରି, ସରକାର ଚୋରି ଓ ଏବେ ପାର୍ଟି ଚୋରି। ଏ ସବୁ ଆମ ଗଣତନ୍ତ୍ର ପତନର ପ୍ରତୀକ ପାଲଟି ଯାଇଛି।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଭୋଟରଙ୍କ ସୁରକ୍ଷା ଲାଗି ତାଙ୍କ ସାମ୍ବିଧାନିକ ଦାୟିତ୍ୱ ପୁରଣ କରିବାରେ ବିଫଳ ହୋଇଛନ୍ତି, ଏହା ବଦଳେ ବିଜେପିର ନିର୍ବାଚନ ଫଳାଫଳ ପଲଟେଇବାରେ ସହାୟତା କରୁଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ୱ ଜନାଦେଶ ରକ୍ଷା କରିବା। ହେଲେ ସେ ସେହି ଶକ୍ତିଙ୍କୁ ସହାୟତା କରୁଛନ୍ତି ଯିଏ ଜନତାଙ୍କ ନିଷ୍ପତ୍ତିକୁ ପଲଟେଇ ଦେଉଛନ୍ତି। ଏହି ଲଢେଇ କେବଳ ମମତା ବାନାର୍ଜୀଙ୍କର ନୁହେଁ ଏହା ପ୍ରତ୍ୟେକ ରାଜନୈତିକ ଦଳ ଓ ଭୋଟରଙ୍କ ଦାୟିତ୍ୱ ଯେଉଁମାନେ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ଚାହୁଁଛନ୍ତି।

ପଶ୍ଚିମବଙ୍ଗ ନନ୍ଦୀ ଗ୍ରାମ ଓ ରେଜିନଗର ବିଧାନସଭା ନିର୍ବାଚନମଣ୍ଡଳିରେ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ଆମ ଆଦମୀ ପାର୍ଟି ନେତା କେଜରିୱାଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏ ନେଇ ସେ ଏକ୍ସ ରେ ମୋଦିଜୀଙ୍କ ଜନ୍ମଦିନର ଉପହାର ଶୀର୍ଷକ ଏକ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଟିପ୍ପଣୀ ତୃଣ ମୂଳ କଂଗ୍ରେସ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜାରି ବିବାଦ ମଧ୍ୟରେ ଆସିଛି, ଯେଉଁଥିରେ ଉଭୟ ଗୋଷ୍ଠୀ ଆଗାମୀ ଉପ ନିର୍ବାଚନରେ ନିଜ ପ୍ରାର୍ଥୀ ଦେବା ସହ ପାର୍ଟିର ନାମ ଓ ଚିହ୍ନ ଉପରେ ନିଜର ଦାବି ଉପସ୍ଥାପନ କରୁଛନ୍ତି।

ନୂଆଦିଲ୍ଲୀ ନିର୍ବାଚନ ସଦନରେ ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ସେମାନଙ୍କୁ ଚୂଡ଼ାନ୍ତ ତର୍କ ରଖିବାକୁ କୁହାଯାଇଥିଲା। ଏହା ପରେ ନିର୍ବାଚନ ଆୟୋଗ ଅନ୍ତରୀଣ ଆଦେଶ ଗୃହୀତ କରିଛନ୍ତି। ଆୟୋଗ ପ୍ରତୀକ ଆଦେଶର ଅନୁଚ୍ଛେଦ ୧୫ ଅନୁସାରେ ବିବାଦ ସମାଧାନ ହେବା ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀଙ୍କୁ ‘ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ’ ନାମ ଅଥବା ନିର୍ବାଚନ ସଂକେତ ‘ଘାସ ଓ ଫୁଲ’ ଉପଯୋଗ ନିଷିଦ୍ଧ କରିଛନ୍ତି। ଆଦେଶରେ କୁହାଯାଇଛି ଯେ ଶ୍ରୀ ଅରୂପ ରାୟ (ଆବେଦନକାରୀ) ଓ ସୁଶ୍ରୀ ମମତା ବାନାର୍ଜୀ (ପ୍ରତିବାଦୀ) ଉଭୟ ସମୂହର କାହାରିକୁ ‘ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ’ନାମ ବ୍ୟବହାର ଲାଗି ଅନୁମତି ଦିଆଯିବନି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଅନ୍ତରୀଣ ବ୍ୟବସ୍ଥାର ଉଦ୍ଦେଶ୍ୟ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କୁ ସମାନ ସ୍ତରକୁ ଆଣିବା ଓ ସେମାନଙ୍କ ଅଧିକାର ଏବଂ ହୀତ ରକ୍ଷା କରିବା। ନେତୃତ୍ୱ ବିବାଦରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଏହି ଆଦେଶ ଆଗାମୀ ଉପନିର୍ବାଚନ ନିମନ୍ତେ ଲାଗୁ ରହିବ।