IMG 20260918 WA0211

ବିଦ୍ୟୁତ ବିଲ୍ ପାଇଁ ବିଦ୍ୟୁତ କାଟ, ଦୁଇ ଦିନ ହେଲା ପାଣି ଯୋଗାଣ ବାଧାପ୍ରାପ୍ତ

ରାଜ୍ୟ
ନୋଟିସ ନଦେଇ ବିଦ୍ୟୁତ କାଟ ଅଭିଯୋଗ, ପାଣି ପାଇଁ ହଇରାଣ ଚାରି ଗାଁର ଲୋକେ
ବାରିପଦା : ବକେୟା ବିଦ୍ୟୁତ ବିଲ୍‌ ପରିଶୋଧ ନହେବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିନା ପୂର୍ବ ସୂଚନାରେ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ପାଣି ଯୋଗାଣ ବ୍ୟବସ୍ଥାରେ ଲାଗିଥିବା ମଟର ଚାଲୁ ହୋଇପାରୁନଥିବାରୁ ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ମାଣିକପୁର, ଆମଦାବେଡା, ନୂଆଗାଁ ଓ ନୂଆଗାଁର ହୁଟୁବ ସାହିରେ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ଏହି ଅଞ୍ଚଳଗୁଡ଼ିକରେ ପାଣି ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ପାଣି ଯୋଗାଣ ବ୍ୟବସ୍ଥାର ମଟର ଚାଲୁ ହୋଇପାରୁନଥିବା ଜଣାପଡ଼ିଛି। ଫଳରେ ଚାରିଟି ଅଞ୍ଚଳର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।
ଅନ୍ୟପକ୍ଷରେ, କୌଣସି ପୂର୍ବ ସୂଚନା କିମ୍ବା ନୋଟିସ ନଦେଇ ବିଦ୍ୟୁତ ସଂଯୋଗ କିପରି ବିଚ୍ଛିନ୍ନ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମାଣିକପୁର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ଓ ପିଇଓ ରାଧେଶ୍ୟାମ ପାତ୍ର।
ପାଣି ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ତୁରନ୍ତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯାଇ ପାଣି ଯୋଗାଣ ସ୍ୱାଭାବିକ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।