Mkg 55 turtles jabat 4 arrested 2026 09 17 18 09

ଚାଲାଣ କରୁଥିଲେ, ଧରାପଡ଼ିଗଲେ ୪ଜଣ, ୫୫ଟି ଜୀବନ୍ତ କଇଁଛ ଉଦ୍ଧାର

ରାଜ୍ୟ

ମାଲକାନଗିରି : ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି (ବୁଧବାର) ମୋଟୁ ଥାନା ଅଞ୍ଚଳର ଏମ୍‌ପିଭି-୫୩ ଗ୍ରାମ ନିକଟ କେନାଲ ରାସ୍ତାରେ ବନ ବିଭାଗ ଓ ପୁଲିସ ଟିମ୍‌ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇଟି ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରୁ ୫୫ଟି ଜୀବନ୍ତ କଇଁଛ ଠାବ ହୋଇଥିଲା।
ଗାଡ଼ି ସହ ସମସ୍ତ କଇଁଛକୁ ବନ ବିଭାଗ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଏନେଇ ମୋଟୁ ରେଞ୍ଜରେ ଫରେଷ୍ଟ କେସ୍‌ ନମ୍ବର ଓଆର-୨୦/୨୦୨୬-୨୭ ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି। ଉଦ୍ଧାର କଇଁଛଗୁଡ଼ିକର ଆବଶ୍ୟକ ଯତ୍ନ ନିଆଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।