ବାରିପଦା: “ରକ୍ତଦାନ ମହତ୍ ଦାନ” କୁ ଆପଣେଇ ଅନେକ ରକ୍ତଦାତା ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି I ଏହି ମହତ୍ ଉଦ୍ଦେଶ୍ୟକୁ ଜୀବନର ଏକ ଅଭିନ୍ନ ଅଂଶ କରିନେଇଥିବା ବାରିପଦାର ବିଶିଷ୍ଟ ସମାଜସେବୀ ତଥା ନିୟମିତ ରକ୍ତଦାତା ସୋମନାଥ ସିଂହ ଅଯୋଧ୍ୟା ଧାମରେ ୬୦ ବର୍ଷ ବୟସରେ ନିଜର ୭୨ତମ ରକ୍ତଦାନ କରି ପୁଣିଥରେ ମାନବସେବାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଶିଷ୍ଟ ରକ୍ତଦାତା ଡ. ନିରୋଜ କୁମାର ପୋଥାଳ ଜଣାଇଛନ୍ତି I ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଧାମ ଅଯୋଧ୍ୟାରେ ରାମକୃଷ୍ଣ ସେବା ଫାଉଣ୍ଡେସନ ପକ୍ଷରୁ ତିନିଦିନିଆ ରାଷ୍ଟ୍ରୀୟ ରକ୍ତଦାନ ମହୋତ୍ସବ ଆୟୋଜିତ ହୋଇଥିଲା I
ଏହି ରାଷ୍ଟ୍ରୀୟ ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ନିୟମିତ ରକ୍ତଦାତା ଯୋଗଦେଇ ରକ୍ତଦାନ କରିବା ସହିତ ସମାଜରେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ I ସୋମନାଥ ସିଂହଙ୍କ ଏହି ମହତ୍ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାମକୃଷ୍ଣ ସେବା ଫାଉଣ୍ଡେସନ, ଅଯୋଧ୍ୟାର ପ୍ରତିଷ୍ଠାତା ତଥା ମୁଖ୍ୟ ଆକାଶ ଗୁପ୍ତା ତାଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ସୋମନାଥଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଶ୍ରୀ ସିଂହଙ୍କ ରକ୍ତଦାନ ଯାତ୍ରା ଦୀର୍ଘଦିନ ଧରି ଜାରି ରହିଛି। ନିଜର ମୂଲ୍ୟବାନ ସମୟ ଓ ଶ୍ରମକୁ ମାନବସେବାରେ ନିୟୋଜିତ କରି ସେ ବହୁବାର ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି I
