38

୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ, ଶନିବାର ପିଏମ୍ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା !

ଦେଶ - ବିଦେଶ

ନୂଆଦିଲ୍ଲୀ : ୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ । ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି। ୧୨ ଓ ୧୩ ରେ ନୂଆଦିଲ୍ଲୀରେ ହେଉଥିବା ୧୮ତମ BRICS ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ ମାଟିରେ ଏହା ମୋଦି ଓ ଜିନପିଙ୍ଗଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।

୨୦୨୦ ଜୁନ୍ ୧୫ରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଏଥିରେ କର୍ଣ୍ଣେଲ୍ ବି. ସନ୍ତୋଷ ବାବୁଙ୍କ ସମେତ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ଭାରତ-ଚୀନ ସମ୍ପର୍କ ଦଶନ୍ଧିର ସବୁଠାରୁ ଖରାପ ସ୍ତରକୁ ଖସିଯାଇଥିଲା। ସୀମାରେ ବିପୁଳ ସେନା ମୁତୟନ ସହ ଦୁଇ ପକ୍ଷ ମଧ୍ୟରେ ଅବିଶ୍ୱାସ ବଢ଼ିଥିଲା।

ତେଣୁ ଦିଲ୍ଲୀର ମୋଦି-ଜିନପିଙ୍ଗ ଭେଟକୁ କେବଳ ଏକ ଔପଚାରିକ ବୈଠକ ଭାବେ ଦେଖାଯାଉନାହିଁ। ୨୦୨୪ରେ ସୀମାରେ ପାଟ୍ରୋଲିଂ ଓ ସେନା ପ୍ରତ୍ୟାହାରକୁ ନେଇ ହୋଇଥିବା ବୁଝାମଣା ପରେ ସମ୍ପର୍କରେ ଧୀରେ ଧୀରେ ସୁଧୁରିଛି। ଭାରତ ସ୍ପଷ୍ଟ କରିଆସିଛି, LACରେ ଶାନ୍ତି ଓ ସ୍ଥିରତା ନ ଫେରିଲେ ଦ୍ୱିପାକ୍ଷିକ ସମ୍ପର୍କ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରିବ ନାହିଁ। ସେଥିପାଇଁ ସୀମା ବିବାଦ ଓ ଉତ୍ତେଜନା ହ୍ରାସ ମୋଦି–ଜିନପିଙ୍ଗ ଆଲୋଚନାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି।

ଭାରତ ପାଇଁ ଆଉ ଏକ ଚିନ୍ତା ହେଉଛି ଚୀନ୍ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ସହଯୋଗ। ପାକିସ୍ତାନକୁ ଚୀନ୍ ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ସାମରିକ ପ୍ଲାଟଫର୍ମ ଯୋଗାଇବା ଭାରତ ପାଇଁ ଦୁଇଟି ଫ୍ରଣ୍ଟରେ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହା ସହ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଥିବା China–Pakistan Economic Corridor ବା CPECକୁ ନେଇ ଭାରତର ଆପତ୍ତି ଜାରି ରହିଛି।

ସୀମା ବିବାଦ ସତ୍ତ୍ୱେ ଭାରତ–ଚୀନ୍ ବାଣିଜ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ସିଧାସଳଖ ବିମାନ ସେବା ଓ ସୀମା ବାଣିଜ୍ୟ ଭଳି କେତେକ ସଂଯୋଗ ପୁଣି ଆରମ୍ଭ ହୋଇଛି। ଭାରତ ଚୀନ୍ ପୁଞ୍ଜିନିବେଶ ଉପରେ ଥିବା କେତେକ କଟକଣାକୁ ମଧ୍ୟ କୋହଳ କରିଛି। କିନ୍ତୁ ବାଣିଜ୍ୟ ନିଅଣ୍ଟ, ଭାରତୀୟ ସାମଗ୍ରୀ ପାଇଁ ଚୀନ୍ ବଜାରରେ ସୁଯୋଗ, ଭିସା, ପ୍ରଯୁକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଉପକରଣ ଯୋଗାଣ ଭଳି ପ୍ରସଙ୍ଗରେ ମତଭେଦ ରହିଛି।

ଜିନପିଙ୍ଗ ଶେଷଥର ୨୦୧୯ରେ ଭାରତ ଆସିଥିଲେ। ଏବେ ୭ ବର୍ଷ ପରେ ତାଙ୍କ ଭାରତ ଗସ୍ତ ଏବଂ ମୋଦିଙ୍କ ସହ ଆଲୋଚନାକୁ ଦୁଇ ଏସୀୟ ଶକ୍ତି ମଧ୍ୟରେ ସମ୍ପର୍କ ସୁଧାରର ବଡ଼ ପରୀକ୍ଷା ଭାବେ ଦେଖାଯାଉଛି। ସୀମାରେ ଶାନ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶଠାରୁ ଆରମ୍ଭ କରି ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ପରିସ୍ଥିତି ପର୍ଯ୍ୟନ୍ତ ଦିଲ୍ଲୀର ଏହି ମୋଦି–ଜିନପିଙ୍ଗ ଭେଟ ଉପରେ ସମଗ୍ର ବିଶ୍ୱର ନଜର ରହିବ।