- କୁଇଜ୍ ପ୍ରତିଯୋଗିତାରେ କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର ଦଳ ବିଜୟୀ
ବାରିପଦା : ସ୍ଥାନୀୟ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଞ୍ଚଳିକସ୍ତରୀୟ ଭିନ୍ନକ୍ଷମ ଅଧିକାର ନିୟମ-୨୦୧୬ ସଚେତନତା ଶିବିର ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା, ସାମାଜିକ ନିରାପତ୍ତା ଏବଂ ସରକାରୀ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା ।
ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଉଦ୍ଘାଟନୀ ଅଧିବେଶନ ଆରମ୍ଭ ହୋଇଥିଲା । ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଡ. ଦୀପକ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର ଡ. ହେମନ୍ତ କୁମାର ଘଡ଼େଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି କେବଳ ଦୟା ନୁହେଁ, ବରଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଭାଗିତା ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପୀନାଥ ସଏ ଏବଂ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଓଏସ୍ଡି ଦେବୀ ପ୍ରସାଦ ବାରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ।
ବିଷୟ ବିଶାରଦ ଶ୍ରୀ ରାମ କିଶୋର ଶର୍ମା ଭିନ୍ନକ୍ଷମ ଅଧିକାର ନିୟମ-୨୦୧୬ ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅତିଥି ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆଲୋଚନା ଓ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହାପରେ ଚାରିଟି ଜିଲ୍ଲାର ୮ଟି ମହାବିଦ୍ୟାଳୟର ଦଳକୁ ନେଇ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା; ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା; ଏଫ୍.ଏମ୍. ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର; କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର; ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝର; କଲେଜ ଅଫ୍ ଟିଚର ଏଜୁକେସନ୍, ବାଲେଶ୍ୱର; ୟୁଜିସିଟିଇ, ବାରିପଦା ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ଅଂଶଗ୍ରହଣ କରିଥିଲେ ।
କୁଇଜ୍ ପ୍ରତିଯୋଗିତାରେ କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର ଦଳ ବିଜୟୀ ହୋଇଥିଲା । ଉଦ୍ଯାପନୀ ଅଧିବେଶନରେ ଅତିଥିମାନଙ୍କ ଦ୍ୱାରା ବିଜୟୀ ଦଳ ସମେତ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ବିତ୍ତୀୟ ମୁଖ୍ୟ ଡ. ଆଶୁତୋଷ ପ୍ରୟାସ ଦାଶ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଭିନ୍ନକ୍ଷମ ଅଧିକାର ନିୟମ-୨୦୧୬ ସମ୍ପର୍କରେ ଅବଗତ ହୋଇଥିଲେ ।
