ବାରିପଦା : ଦିନକୁ ଦିନ ବାମନଘାଟି ଉପଖଣ୍ଡ ସମେତ ରାଇରଙ୍ଗପୁର ସହରରେ ଚୋରି ଲୁଟ ଛିନତାଇ ଭଳି ଘଟଣା ବଢ଼ିବାରେ ଲାଗିଛି। ଦିନ ଦ୍ବିପହରରେ ପୋଲିସ କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଲୁଟ୍ କରୁଛନ୍ତି ଲୁଟେରା। କେତେବେଳେ ବାଇକ ଡିକି ଭାଙ୍ଗି ଟଙ୍କା ପଇସା ଲୁଟ କରୁଛନ୍ତି ତ କେତେବେଳେ କାହାର ଘରେ ପଶି ତାଲା ଭାଙ୍ଗି ଚୋରି କରୁଛନ୍ତି। ପୁଣି କେତେବେଳେ କୌଣସି ମହିଳା ଙ୍କୁ ଏକୁଟିଆ ପାଇ ପିନ୍ଧିଥିବା ସୁନା ଚେନ ଓ ଟଙ୍କା ପଇସା ଲୁଟ କରୁଛନ୍ତି ଦୁର୍ବୃତ୍ତ। ଏହିଭଳି ଏକ ଘଟଣା ରାଇରଙ୍ଗପୁର ସହରରେ ସାମ୍ନା କୁ ଆସିଛି। ଦୁର୍ବୃତ୍ତ ଘରେ ପଶି ଜଣେ ବୃଦ୍ଧା ଙ୍କ ଠାରୁ ସୁନା ଚେନ ଲୁଟ କରି ଖସି ପଳେଇ ଯିବାରେ ସକ୍ଷମ ହୋଇଛି । ରାଇରଙ୍ଗପୁର ସହରର ପ୍ରତିଷ୍ଠିତ ସୁନାଗହଣା ବ୍ୟବସାୟୀ କାମେଶ୍ବର ପରିଡ଼ା ଙ୍କ ଅଁଳାଡୁବା ସ୍ଥିତ ବାସଭବନରୁ ସୁନା ଚେନ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ପୂର୍ବାହ୍ନ ପାଖା ପାଖି ଦଶଟା ସମୟରେ ଉକ୍ତ ବ୍ୟବସାୟୀ ଙ୍କ ବୃଦ୍ଧା ମାଆ ରୁକ୍ମଣୀ ପରିଡ଼ା ଗାଧୁଆ ସାରି ଘର ଭିତରେ ଲୁଗା ଶୁଖାଉଥିଲେ।
ସେ ସମୟରେ ଜଣେ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ହେଲମେଟ ପିନ୍ଧି ତାଙ୍କ ଘର ସାମନାରେ ଛିଡ଼ା ହୋଇଥିଲା। ରୁକ୍ମଣୀ ପରିଡ଼ା ଙ୍କୁ ଏକୁଟିଆ ଦେଖି ଦୁର୍ବୃତ୍ତ ଜଣକ ତାଙ୍କ ଘରେ ପଶି ତାଙ୍କ ମୁହଁକୁ ଚାପି ରଖି ପିନ୍ଧିଥିବା ସୁନା ଚେନ ଟି ନେଇ ସେଠାରୁ ଖସି ପଳାଇ ଯାଇଥିଲା। ପରେ ରୁକ୍ମଣୀ ପରିଡ଼ା ଚିଲ୍ଲେଇବାରୁ ଘରେ ଥିବା ବୋହୁ, ନାତି ଓ ନାତୁଣୀ ଆସି ଯାଇଥିଲେ। ତେବେ ସେ ପିନ୍ଧିଥିବା ପ୍ରାୟ ୨୭ ଗ୍ରାମ ଓଜନର ଏକ ସୁନା ଚେନ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଦୁର୍ବୃତ୍ତ ଜଣକ ଲୁଟ କରିବା ପରେ ସହରର ଗୋଶାଳା ରାସ୍ତାରେ ପଳେଇ ଯାଇଥିବାର ସି ସି ଟିଭି ରୁ ଜଣା ପଡିଅଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୁଅ କାମେଶ୍ବର ପରିଡ଼ା ରାଇରଙ୍ଗପୁର ଟାଉନ ଥାନା ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ତନାଘନା ଆରମ୍ଭ କରିଛି। ତେବେ ଦିନ ସମୟ ରେ ଘରେ ପଶି ଜଣେ ୭୦ ବର୍ଷର ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଛିନତାଇ କରି ଖସି ପଳେଇ ଯିବା ସହରରେ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଥିବା ବେଳେ ଯଥାଶୀଘ୍ର ଏଭଳି ଦୁର୍ବୃତ୍ତ ମାନଙ୍କ ଉପରେ ଲଗାମ ଲଗେଇବା ପାଇଁ ଦାବି ହୋଇଅଛି।
