ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦାଠାରେ ସୋମବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ହେମକାନ୍ତ ସଏ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଶିବିରରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ସର୍ବମୋଟ ୨୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ୨୨୬ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଏବଂ ୩୫ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ପର୍କିତ ଥିଲା । ଶିବିରରେ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି କିମ୍ବା ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆଜି କୌଣସି ଆବେଦନ ଗ୍ରହଣ କରାଯାଇନଥିଲା ।
ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗଗୁଡ଼ିକର ଯଥାର୍ଥ ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ ସମାଧାନ କରିବାକୁ ଶ୍ରୀ ମଲ୍ଲିକ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଉପସ୍ଥିତ ରହି ଆଇନଶୃଙ୍ଖଳା ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏଥିସହ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡା, ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱନାଥ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବାରିପଦା ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।
