IMG 20260907 WA0263

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅସନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଅସନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରଠାରୁ ଦୀର୍ଘଦିନ ଧରି ବିଜୁଳି ସଂଯୋଗ ସମସ୍ୟା ଲାଗି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବକେୟା ବିଜୁଳି ବିଲ୍ ପରିଶୋଧ କରାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର ନୂତନ ଭାବରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ବିଜୁଳି ବିଲ୍ ବକେୟା ରହିଥିଲା। ଦୀର୍ଘ ପ୍ରାୟ ୪–୫ ବର୍ଷ ଧରି ବକେୟା ବିଲ୍ ପୈଠ ହୋଇନଥିବାରୁ ବିଜୁଳି ସଂଯୋଗ ସମସ୍ୟା ଲାଗି ରହିଥିଲା। ଫଳରେ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ପୂର୍ବତନ ବହଳଦା ବିଧାୟକ  ପ୍ରହ୍ଲାଦ ପୂର୍ତ୍ତି ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଓ ଦାବି ଉପସ୍ଥାପନ କରିଆସୁଥିଲେ। ବର୍ତ୍ତମାନ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବକେୟା ବିଜୁଳି ବିଲ୍ ₹୨,୨୨,୪୪୦/- (ଦୁଇ ଲକ୍ଷ ବାଇଶି ହଜାର ଚାରିଶହ ଚାଳିଶ ଟଙ୍କା) ପରିଶୋଧ କରାଯାଇଛି। ଏହାପରେ ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ଅସନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ବିଜୁଳି ସଂଯୋଗ ପୁନଃସ୍ଥାପିତ ହେବା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜନସାଧାରଣଙ୍କ ପକ୍ଷରୁ ଏହି ପଦକ୍ଷେପ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ପୂର୍ବତନ ବିଧାୟକ  ପ୍ରହ୍ଲାଦ ପୂର୍ତ୍ତିଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଯାଇଛି।