Image 33f157

ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କୋହଳ ହେଲା ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏଣିକି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ରିଫିଲ୍ ବୁକ୍ କରିପାରିବେ। ଏଲପିଜି ଯୋଗାଣ ସ୍ଥିତିରେ ଉନ୍ନତି ଓ ରିଫିଲ୍ ବ୍ୟାକଲଗ୍‌ରେ ହ୍ରାସ ପରେ ସରକାର ଏହି କଟକଣା କୋହଳ କରିଛନ୍ତି।କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପୂର୍ବରୁ ଲାଗୁ ହୋଇଥିବା ରିଫିଲ୍ ବୁକିଂ କଟକଣାକୁ ସରକାର କୋହଳ କରିଛନ୍ତି। ଏହା ପୂର୍ବରୁ ଯୋଗାଣ ଚାପ ଯୋଗୁଁ ସହରାଞ୍ଚଳରେ ଗ୍ରାହକମାନେ ୨୫ ଦିନ ବ୍ୟବଧାନରେ ଏଲପିଜି ରିଫିଲ୍ ବୁକ୍ କରିପାରୁଥିଲେ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଯୋଗାଣ ସ୍ଥିତିରେ ସୁଧାର ହେବା ପରେ ଏହି ପାର୍ଥକ୍ୟକୁ ହଟାଇ ଦିଆଯାଇଛି। ଫଳରେ ଗ୍ରାମାଞ୍ଚଳର ଗ୍ରାହକମାନେ ମଧ୍ୟ ସହରାଞ୍ଚଳ ଭଳି ୨୫ ଦିନ ବ୍ୟବଧାନରେ ରିଫିଲ୍ ବୁକିଂ କରିପାରିବେ।

ଆମେରିକା-ଇରାନ ବିବାଦ ଓ ହରମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ଯୋଗାଣ ଚାପ ମଧ୍ୟରେ ଦେଶରେ ଏଲପିଜି ଉପଲବ୍ଧତାକୁ ନେଇ ସମସ୍ୟା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ରିଫିଲ୍ ବୁକିଂ ଉପରେ ବିଭିନ୍ନ କଟକଣା ଲାଗୁ କରିଥିଲେ। ତେବେ ବର୍ତ୍ତମାନ ଏଲପିଜି ଯୋଗାଣ ବ୍ୟବସ୍ଥାରେ ଉନ୍ନତି ହେବା ସହ ରିଫିଲ୍ ବ୍ୟାକଲଗ୍‌ରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ସୁବିଧା ପାଇଁ ବୁକିଂ ବ୍ୟବଧାନ କମାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୁରେଶ ଗୋପୀ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏବେ ସହର କିମ୍ବା ଗ୍ରାମାଞ୍ଚଳର ଭେଦ ନରଖି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନର ବ୍ୟବଧାନରେ ରିଫିଲ୍ ବୁକ୍ କରିପାରିବେ। ଏହି ନିଷ୍ପତ୍ତି ଦେଶର କୋଟି କୋଟି ଘରୋଇ ଏଲପିଜି ଗ୍ରାହକଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।