IMG 20260906 WA0163

କୁଡୁମୀ ଜାତିକୁ ଏସଟି ମାନ୍ୟତା ଦାବିରେ କୁଡ଼ମୀ ସେନା ପକ୍ଷରୁ କଳା ଦିବସ ପାଳନ

ରାଜ୍ୟ
 ବାରିପଦା : ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୁଡୁମୀ ଜାତିକୁ ଆଦିବାସୀ (ଏସଟି) ବର୍ଗରୁ ବାଦ୍ ଦିଆଯାଇଥିଲା। କୁଡୁମୀ ଜାତି ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟ ପ୍ରତିବାଦରେ ପ୍ରତିବର୍ଷ ୬ ସେପ୍ଟେମ୍ବର ଦିନଟିକୁ କୁଡୁମୀ ସେନା କଳା ଦିବସ ଭାବରେ ପାଳନ କରି ଆସୁଛି। ଏହି ଅବସରରେ କୁଡୁମୀ ସେନାର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ନେତୃତ୍ୱରେ ଆଜି ରବିବାର ମୟୂରଭଞ୍ଜ ସମେତ  ଓଡିଶାରେ ଦସବାସ କରୁଥିବା ୧୦ଟି ଜିଲ୍ଲାରେ ଏହି କଳା ଦିବସ ପାଳନ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଏହି କଳା ଦିବସ ପାଳନ ଉପଲକ୍ଷେ କୁଡୁମୀ ସମ୍ପ୍ରଦାୟର ଲୋକେ କଳା ପତାକା ସହ ବିଭିନ୍ନ ସ୍ଲୋଗାନ ଧରି ସ୍ଥାନୀୟ ମଧୁବନ ପଡିଆଠାରୁ ପାରମ୍ପରିକ ବାଦ୍ୟ ସହ ତାଳେ ତାଳେ ସ୍ଲୋଗାନ ଦେଇ ଶୋଭାଯାତ୍ରା  ସହ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ତତ୍ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ କୁଡୁମୀ ସେନା ପକ୍ଷରୁ ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ ୬୦ ପୃଷ୍ଠା ସମ୍ବଳିତ ଏକ ସ୍ୱାକ୍ଷରପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ  ଜିଲ୍ଲାପାଳ  ହେମକାନ୍ତ ସଏ ଙ୍କୁ ପ୍ରଦାନ କରାଯାଇଥିଲା।
 ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଳା ଫିତା ପିନ୍ଧି ସହସ୍ରାଧିକ ସଂଖ୍ୟାରେ  କୁଡୁମୀ ସେନାର ଏହି  ବିଶାଳ ଶୋଭାଯାତ୍ରାରେ କୁଡୁମୀ ସେନାର ଯୁବକ, ମହିଳା, ଛାତ୍ର ଛାତ୍ରୀ, କୁଡୁମୀ ସେନା ର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିଥିଲେ ।