IMG 20260905 WA0242

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଜ୍ୟ
  • ବିପର୍ଯ୍ୟୟ ସମୟରେ ମାନସିକ-ସାମାଜିକ ସହାୟତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ବାରିପଦା :ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସମୟରେ ମାନସିକ-ସାମାଜିକ ସହାୟତା ପ୍ରଦାନ ସହ ତୃଣମୂଳ ସ୍ତରରେ ସମୁଦାୟିକ ସ୍ଥିରତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ତିନିଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । “ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସମ୍ପ୍ରଦାୟ ପାଇଁ ମାନସିକ-ସାମାଜିକ ଯତ୍ନ ବୃଦ୍ଧି” ବିଷୟବସ୍ତୁକୁ ନେଇ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ବାରିପଦା ମୁର୍ଗାବାଡ଼ିସ୍ଥିତ ଡିପିଆରସି ପ୍ରଶିକ୍ଷଣ ଗୃହରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
                        ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ମାନସିକ ଆବଶ୍ୟକତାକୁ ଚିହ୍ନଟ କରି ସେମାନଙ୍କୁ ପ୍ରଭାବୀ ମାନସିକ-ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ଆଗଧାଡ଼ିର କର୍ମଚାରୀ ଓ ସମ୍ପୃକ୍ତ ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି କରିବା । ବିପର୍ଯ୍ୟୟ ଯୋଗୁଁ ଶାରୀରିକ ଓ ଆର୍ଥିକ କ୍ଷତି ସହ ଲୋକମାନେ ଭୟ, ଚିନ୍ତା, ଦୁଃଖ ଓ ଭାବପ୍ରବଣ ଚାପ ଭଳି ବିଭିନ୍ନ ମାନସିକ ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ଏଭଳି ସହାୟତାର ଗୁରୁତ୍ୱ ଉପରେ ତାଲିମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
                     ତାଲିମରେ ମାନସିକ ପ୍ରାଥମିକ ଚିକିତ୍ସା, ମାନସିକ-ସାମାଜିକ ଯତ୍ନ, ମାନସିକ କଷ୍ଟର ପ୍ରାଥମିକ ଚିହ୍ନଟ, ସହାୟକ ଯୋଗାଯୋଗ ଏବଂ ଆବଶ୍ୟକତା ଅନୁଯାୟୀ ରେଫରଲ୍ ବ୍ୟବସ୍ଥା ଆଦି ବିଷୟରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ବିପର୍ଯ୍ୟୟ ସମୟରେ ଅନ୍ୟମାନଙ୍କୁ ସହାୟତା କରିବା ସହିତ ନିଜର ମାନସିକ ସୁସ୍ଥତା ଓ ଭାବନାତ୍ମକ ସନ୍ତୁଳନ ବଜାୟ ରଖିବା ଉପରେ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ଅଧିବେଶନରେ ପାରସ୍ପରିକ ଆଲୋଚନା, ବ୍ୟବହାରିକ ଅଭ୍ୟାସ, ମାମଲାଭିତ୍ତିକ ଶିକ୍ଷା ଓ ଅଭିଜ୍ଞତା ବିନିମୟ ମାଧ୍ୟମରେ ବିପର୍ଯ୍ୟୟ ସମୟରେ ଲୋକ କୈନ୍ଦ୍ରିକ ଓ ସମ୍ବେଦନଶୀଳ ଆଭିମୁଖ୍ୟ ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପର୍ଯ୍ୟାୟରେ ବିଭିନ୍ନ ବିଭାଗ, ସ୍ଵାସ୍ଥ୍ୟ ଓ ସାମାଜିକ-ଯତ୍ନ କର୍ମଚାରୀ, ବିପର୍ଯ୍ୟୟ ପରିଚାଳନା କର୍ମକର୍ତ୍ତା ଏବଂ ସମ୍ପ୍ରଦାୟ ସ୍ତରୀୟ ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।
                          କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ ରିସର୍ସ ପର୍ସନ ସମୂହମାନଙ୍କର ଏକ ଦକ୍ଷ ପୁଲ୍ ସୃଷ୍ଟି କରାଯାଇଛି, ଯେଉଁମାନେ ପରବର୍ତ୍ତୀ ସମୟରେ ସମ୍ପ୍ରଦାୟସ୍ତରୀୟ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ମାନସିକ-ସାମାଜିକ ସହାୟତା ସମ୍ପର୍କିତ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ପ୍ରଦାନ କରିପାରିବେ । ଏହା ଫଳରେ ବିପର୍ଯ୍ୟୟ ସମୟରେ ଦୁର୍ବଳ ଓ ପ୍ରଭାବିତ ସମ୍ପ୍ରଦାୟଙ୍କ ନିକଟରେ ସମୟୋଚିତ ମାନସିକ-ସାମାଜିକ ସହାୟତା ପହଞ୍ଚାଇବା ସହ ଜିଲ୍ଲାର ସାମୁଦାୟକ ସ୍ଥିରତାକୁ ଆହୁରି ସୁଦୃଢ଼ କରିବାରେ ଏହି ପଦକ୍ଷେପ ସହାୟକ ହେବ । ଉଦଯାପନୀ ଅବସରରେ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
                        ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୂରଭଞ୍ଜ ପକ୍ଷରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା), ଭୁବନେଶ୍ୱରଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଓସଡମାର ଡେପୁଟି ଜେନେରାଲ ମ୍ୟାନେଜର ରଶ୍ମିତା ଲେଙ୍କା ଓ ରାଜ୍ୟ ପ୍ରକଳ୍ପ ଅଧିକାରୀ ଫକୀର ଚରଣ ରାଉତ ପର୍ଯ୍ୟବେକ୍ଷକ ତଥା ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ  ଜଗବନ୍ଧୁ ମହାନ୍ତି ଏହାର ସଂଯୋଜନା କରିଥିଲେ । ମନସ୍ତତ୍ତ୍ୱବିତ୍ ଗୀତା ବେଶ୍ରା ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ପରାମର୍ଶଦାତ୍ରୀ ଅଞ୍ଜନା ମାଝୀ ସହାୟକ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନରେ ସହଯୋଗ କରିଥିଲେ । ଜୁଲିମଣି ବେହେରା ଓ କବିତା ଘଡ଼େଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।