IMG 20260901 WA0220

ବିକାଶର ବହୁ ପଛରେ ଚଢେଇପାହାଡି ପଞ୍ଚାୟତ, ରାସ୍ତା, ପୋଲ ଓ ମୋବାଇଲ ନେଟୱର୍କ ସମସ୍ୟା

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଦୁର୍ଗମ ଅଞ୍ଚଳ ଚଢ଼େଇ ପାହାଡି ପଞ୍ଚାୟତର ବିକାଶ ଠାରୁ ବହୁ ପଛରେ ।  ବର୍ଷା ଆସିଲେ ବଣ,ଜଙ୍ଗଲ,ନଦୀ,ନାଳ ଘେରା ଚଢେଇପାହାଡ଼ି ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ଗତ ତିନିଦିନ ଧରି ବୁଢ଼ାମରା ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଚଢେଇପାହାଡ଼ି ପଞ୍ଚାୟତବାସୀଙ୍କ ଯାତାୟାତରେ ବାଧାପ୍ରାପ୍ତ ଉପୁଜିଛି   ।  ଜରୁରୀ କାମରେ ଥିଲେ ମଧ୍ୟ ଲୋକମାନେ ପୋଲ ପାର ହୋଇପାରୁନାହାନ୍ତି । ବନ୍ୟା ସାଜିଲା ବାଧକ । ସୋମବାର ଦିନ ସରଗଡାଠାରେ ଅନୁଷ୍ଠିତ ଜନଶୁଣାଣୀରେ ମଧ୍ୟ ପୋଲ ଉପରେ ବନ୍ୟା ପାଣି ରହୁଥିବାରୁ  ଚଢେଇପାହାଡ଼ି ପଞ୍ଚାୟତବାସୀ ନିଜ ଅଞ୍ଚଳର ସମସ୍ୟା ନେଇ ଉପସ୍ଥିତ ହୋଇପାରିନଥିଲେ।  ସମିତି ସଭ୍ୟା କୁନି ସର୍ଦାର ମଧ୍ୟ ଜନଶୁଣାଣୀରେ ଯୋଗଦେଇ ଅଭିଯୋଗ ଉପସ୍ଥାପନ କରିପାରିନଥିବା ଜଣାପଡ଼ିଛି।
ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ, ଚଢେଇପାହାଡ଼ି ପଞ୍ଚାୟତ ଦୀର୍ଘଦିନ ଧରି ବିଭିନ୍ନ ମୌଳିକ ସମସ୍ୟାରେ ଜର୍ଜରିତ। ପଣ୍ଡୁପାଣିରୁ ବଳରାମପୁର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମରେ ମୋବାଇଲ ନେଟୱର୍କ ସମସ୍ୟା ରହିଛି। ଜରୁରୀକାଳୀନ ସମୟରେ ଯୋଗାଯୋଗ କରିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଡିଜିଟାଲ ସେବା ପାଇବାରେ ମଧ୍ୟ ସମସ୍ୟା ହେଉଛି।
ଅନ୍ୟପକ୍ଷରେ ଭୀମଖନ୍ଦା ଗାଁ ମୁଣ୍ଡରେ ନିର୍ମାଣାଧୀନ ପୋଲର କାମ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ରହିଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଦୁର୍ଦ୍ଦଶା ଆହୁରି ବଢ଼ିଛି। ପୂର୍ବରୁ ମଧ୍ୟ ଏହି ପୋଲ ନିର୍ମାଣ ବିଳମ୍ବ ନେଇ ସ୍ଥାନୀୟ ଭାବେ ଅଭିଯୋଗ ଓ ଖବର ପ୍ରକାଶ ପାଇଥିଲା।
ବୁଢ଼ାମରା ନଦୀ ଉପରେ ଥିବା ପୋଲରେ ବର୍ଷାଦିନେ ପାଣି ଚାଲିଯିବା ଘଟଣାକୁ ନେଇ ମଧ୍ୟ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ଏହି ପୋଲର ଉଚ୍ଚତା ବୃଦ୍ଧି କିମ୍ବା ଆବଶ୍ୟକ ଭିତ୍ତିଭୂମି ଉନ୍ନତି କରାଯାଇ ଲୋକଙ୍କ ଯାତାୟାତ ସୁଗମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଚଢେଇପାହାଡ଼ି ପଞ୍ଚାୟତବାସୀଙ୍କ ଏହି ମୌଳିକ ସମସ୍ୟାଗୁଡ଼ିକ ପ୍ରତି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ସ୍ଥଳ ପରିଦର୍ଶନ କରିବା ସହ ରାସ୍ତା, ପୋଲ ଓ ମୋବାଇଲ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସମିତି ସଭ୍ୟା କୁନି ସର୍ଦାର  ପଞ୍ଚାୟତବାସୀ ଙ୍କ ପକ୍ଷରୁ ଦାବି କରିଛନ୍ତି।