IMG 20260830 WA0218

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦ୍‌ଯାପିତ

ରାଜ୍ୟ
ବାରିପଦା : ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ଲେଭେଲ୍-୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି ।
 ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ  ଦୁଃଖବନ୍ଧୁ ନାୟକ ଏବଂ ଅନ୍ୟତମ  ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ ଅତିଥି ଭାବରେ ଯୋଗଦେଇଥିଲେ । ଉଭୟ ଅତିରିକ୍ତ ଜିଲ୍ଲାପାଳ ଫାଇନାଲ୍ ମ୍ୟାଚ୍‌ ଉପଭୋଗ କରିବା ସହ ଖେଳାଳିମାନଙ୍କ ଉତ୍ସାହଜନକ ପ୍ରଦର୍ଶନର ପ୍ରଶଂସା କରିଥିଲେ । ମ୍ୟାଚ୍‌ଗୁଡ଼ିକ ଶେଷରେ ବିଜେତା ଓ ଉପବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ କହିଥିଲେ ଯେ, କ୍ରୀଡ଼ା କେବଳ ପଦକ ଜିତିବାର ମାଧ୍ୟମ ନୁହେଁ; ଏହା ଶୃଙ୍ଖଳା, ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ନେତୃତ୍ୱର ବିକାଶର ଏକ ପ୍ରଭାବଶାଳୀ ମାଧ୍ୟମ । ଆଜିର ଫାଇନାଲ୍ ମ୍ୟାଚ୍‌ରେ ପ୍ରତିଯୋଗୀମାନେ ପ୍ରଦର୍ଶନ କରିଥିବା ନିଷ୍ଠା, ଉତ୍ସାହ ଓ କ୍ରୀଡ଼ାସୁଲଭ ମନୋଭାବ ପ୍ରଶଂସନୀୟ ବୋଲି ସେ କହିଥିଲେ । ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉପବିଜେତାମାନଙ୍କୁ ମଧ୍ୟ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ପ୍ରଶଂସା କରିଥିଲେ । ଜିତିବା କିମ୍ବା ହାରିବା ଅପେକ୍ଷା ନିଜର ଦକ୍ଷତାକୁ ନିରନ୍ତର ପରିମାର୍ଜିତ କରିବା ଓ ଆଗାମୀ ପ୍ରତିଯୋଗିତା ପାଇଁ ନିଜକୁ ଅଧିକ ପ୍ରସ୍ତୁତ କରିବା ହିଁ ଜଣେ କ୍ରୀଡ଼ାବିତ୍‌ଙ୍କ ପ୍ରକୃତ ସଫଳତା ବୋଲି ସେ ମତବ୍ୟକ୍ତ କରିଥିଲେ ।
ଚାମ୍ପିୟନସିପ୍‌ର ଫାଇନାଲ୍ ଫଳାଫଳ ଅନୁଯାୟୀ, ପ୍ରତିଯୋଗିତାର ଅଣ୍ଡର୍-୧୩ ବାଳିକା ସିଙ୍ଗଲ୍ସ ବର୍ଗରେ ବାରିପଦାର ସତ୍ୟପ୍ରିୟା ପାଣି ଚାମ୍ପିୟନ ହୋଇଥିବାବେଳେ ଉଦଳାର ବିଶ୍ୱ ବିଜୟିନୀ ଶଙ୍ଖୁଆ ରନର୍ସ-ଅପ୍ ହୋଇଥିଲେ । ଅଣ୍ଡର୍-୧୩ ବାଳକ ସିଙ୍ଗଲ୍ସ ବର୍ଗରେ ବାରିପଦାର ହୃଦୟ ହରିନନ୍ଦନ ସିଂହ ଚାମ୍ପିୟନ ଏବଂ ଉଦଳାର ତରୁଣ କ୍ରିଷ୍ଣା ମୁର୍ମୁ ରନର୍ସ-ଅପ୍ ହୋଇଥିଲେ ।
 ସେହିପରି, ଅଣ୍ଡର୍-୧୫ ବାଳିକା ସିଙ୍ଗଲ୍ସ ବର୍ଗରେ ବାରିପଦାର ଦୀଶା ବେହେରା ଚାମ୍ପିୟନ ହୋଇଥିବାବେଳେ ବାରିପଦାର ମନୁଶ୍ରୀ ରାଉତ ରନର୍ସ-ଅପ୍ ହୋଇଥିଲେ । ଅଣ୍ଡର୍-୧୫ ବାଳକ ସିଙ୍ଗଲ୍ସ ବର୍ଗରେ ବାରିପଦାର ରଘୁବୀର ଜନ୍ ଚାମ୍ପିୟନ ଏବଂ ଉଦଳାର ତୁଷାର ପାତ୍ର ରନର୍ସ-ଅପ୍ ହୋଇଥିଲେ ।
     ଅଣ୍ଡର୍-୧୭ ବାଳକ ସିଙ୍ଗଲ୍ସ ବର୍ଗରେ ବାରିପଦାର ଖ୍ୟାତି ରଞ୍ଜନ ମହାପାତ୍ର ଚାମ୍ପିୟନ ଏବଂ ବାରିପଦାର ଆଦର୍ଶ ପରେଶ ମୁର୍ମୁ ରନର୍ସ-ଅପ୍ ହୋଇଥିଲେ ।
 ଆନ୍ତଃବିଭାଗୀୟ ଡବଲ୍ସ ବର୍ଗରେ ପିଏନ୍‌ବିର  ସ୍ୱରାଜ ସେନାପତି ଓ ଏସ୍‌ବିଆଇର  କାଳୀଚରଣ ଗୋଚ୍ଛାୟତଙ୍କ ଯୋଡ଼ି ଚାମ୍ପିୟନ ହୋଇଥିଲେ । ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର  ଅଭିନାଶ ପାତ୍ର ଏବଂ ସମବାୟ ବ୍ୟାଙ୍କର  ତାପସ ପାତ୍ରଙ୍କ ଯୋଡ଼ି ରନର୍ସ-ଅପ୍ ହୋଇଥିଲେ ।  ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ର ସଭାପତି  କିଶୋର କୁମାର ବିଶ୍ୱାଳ, ସମ୍ପାଦକ  ବିଭୂତି ଭୂଷଣ ଦାସ ଏବଂ ଆନ୍ତର୍ଜାତୀୟ ରଗ୍‌ବୀ ରେଫରୀ  ଦିବ୍ୟରଞ୍ଜନ ଦାସଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।
 ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ  ଶିଶିର କୁମାର ମୁନ୍ଦୁୟା ଉଦଯାପନୀ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ଏବଂ ଇଣ୍ଡୋର୍ ଷ୍ଟାଡିୟମ୍‌ର କର୍ମଚାରୀମାନଙ୍କ ସକ୍ରିୟ ସହଯୋଗରେ ଚାମ୍ପିୟନସିପ୍ ସଫଳତାର ସହ ଉଦ୍‌ଯାପିତ ହୋଇଥିଲା ।