ବାରିପଦା : ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ସହିତ ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଫିଟନେସ୍ ପ୍ରତି ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାରେ ଏକ ସାଇକ୍ଲୋଥନ୍ ଆୟୋଜିତ ହୋଇଥିଲା । ବାରିପଦା ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ହେମକାନ୍ତ ସୟ୍ ଏବଂ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ ନିୟମିତ ସାଇକେଲ୍ ଚାଳନାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ସହିତ ନିଜକୁ ସୁସ୍ଥ ଓ ସକ୍ରିୟ ରଖିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ । କ୍ରୀଡ଼ା ମାଧ୍ୟମରେ ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଦଳଗତ ଭାବନା ଓ ଆତ୍ମବିଶ୍ୱାସର ବିକାଶ ହୋଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୁଣ୍ଟୁପାଲ୍ଲୀ ମଧ୍ୟ ସାଇକ୍ଲୋଥନ୍ରେ ଅଂଶଗ୍ରହଣ କରି କ୍ରୀଡ଼ା ଓ ଫିଟନେସ୍ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ବାରିପଦା ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ସାଇକ୍ଲୋଥନ୍ଟି ବେଲଗଡ଼ିଆ, ଅମ୍ବିକା ମନ୍ଦିର, ବିଜୁ ପଟ୍ଟନାୟକ ଗୋଲେଇ ଓ କଲେକ୍ଟୋରେଟ୍ ଦେଇ ପୁନର୍ବାର ବାରିପଦା ଷ୍ଟାଡିୟମ୍ଠାରେ ସମାପ୍ତ ହୋଇଥିଲା । ନିର୍ଦ୍ଧାରିତ ମାର୍ଗରେ ସାଇକ୍ଲୋଥନ୍ ଅତିକ୍ରମ କରିବା ସମୟରେ ଅଂଶଗ୍ରହଣକାରୀମାନେ କ୍ରୀଡ଼ା, ସୁସ୍ଥତା ଓ ସକ୍ରିୟ ଜୀବନଶୈଳୀର ବାର୍ତ୍ତା ପ୍ରଚାର କରିଥିଲେ । ସାଇକ୍ଲୋଥନ୍ରେ ଜିଲ୍ଲା ପୋଲିସ ବାହିନୀ, କ୍ରୀଡ଼ାବିତ୍, ଯୁବକ-ଯୁବତୀ, ବିଭିନ୍ନ କ୍ରୀଡ଼ା ସଂଗଠନର ସଦସ୍ୟ, କ୍ରୀଡ଼ାପ୍ରେମୀ ଓ ବିଭିନ୍ନ ବର୍ଗର ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଜାତୀୟ କ୍ରୀଡ଼ା ଦିବସର ମହତ୍ତ୍ୱକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କ୍ରୀଡ଼ାକୁ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରିବା ଏବଂ ନିୟମିତ ଶାରୀରିକ ବ୍ୟାୟାମ ଓ ଫିଟନେସ୍ ପ୍ରତି ସଚେତନ ହେବା ପାଇଁ ଏହି ସାଇକ୍ଲୋଥନ୍ ମାଧ୍ୟମରେ ପ୍ରୟାସ କରାଯାଇଛି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ରିଜର୍ଭ ଇନ୍ସପେକ୍ଟର ଆଲୋକ କୁମାର କାନୁନଗୋ, ଜିଲ୍ଲା କ୍ରୀଡ଼ାଧିକାରୀ ଡଃ ଶୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଅନ୍ତର୍ଜାତୀୟ ରଗବୀ ରେଫରୀ ଦିବ୍ୟ ରଞ୍ଜନ ଦାସ, ବିଶିଷ୍ଟ ୟ୍ୟୁଟୁବ୍ ବ୍ଲଗର୍ ଲବ ହାଁସଦା ସମେତ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ଉପସ୍ଥିତ ରହିଥିଲେ ।
