IMG 20260828 WA0210

ବାରିପଦାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ପଞ୍ଚମ କିସ୍ତି ପ୍ରଦାନ ସମାରୋହ

ରାଜ୍ୟ
  • ନାରୀ ଶକ୍ତିର ସଶକ୍ତିକରଣରେ ‘ସୁଭଦ୍ରା’ ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” : ମନ୍ତ୍ରୀ
ବାରିପଦା : ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପାଇଁ ଆଜି ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ।
            ସମାରୋହରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯୋଜନାରୁ ପ୍ରାପ୍ତ ଆର୍ଥିକ ସହାୟତାକୁ ଉତ୍ପାଦନମୂଳକ ଓ ଜୀବିକାଭିତ୍ତିକ କାର୍ଯ୍ୟରେ ବିନିଯୋଗ କରି ନିଜ ଆୟ ବୃଦ୍ଧି କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେ ମହିଳା ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ଯୋଗ୍ୟ ମହିଳାମାନେ ଯେପରି ଯୋଜନାର ସୁଫଳରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ ।
             କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜିଲ୍ଲାବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ରକ୍ଷାବନ୍ଧନ ପବିତ୍ର ସମ୍ପର୍କ ଓ ଭାଇଚାରାର ପ୍ରତୀକ । ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ଏକ ଐତିହାସିକ ପଦକ୍ଷେପ । ବର୍ଷକୁ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା ସିଧାସଳଖ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଥିବାରୁ ଏହା ମା’ମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
             ସମ୍ମାନିତ ଅତିଥି ଭାବେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ ଯୋଗଦେଇ ନିଜର  ଅଭିଭାଷଣ ରଖିଥିଲେ । ସେ ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିବା ସହ ଯୋଜନାରୁ ପ୍ରାପ୍ତ ଅର୍ଥକୁ ଉପଯୁକ୍ତ ତଥା ଉତ୍ପାଦନକ୍ଷମ କାର୍ଯ୍ୟରେ ବିନିଯୋଗ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
            ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ  ଜଲେନ ନାଏକ, ବଡ଼ସାହି ବିଧାୟକ  ସନାତନ ବିଜୁଳି ଏବଂ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।
            ସମାରୋହରେ ‘ସୁଭଦ୍ରା’ ଯୋଜନାର ତିନି ଜଣ ହିତାଧିକାରୀ ନିଜ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ଯୋଜନାରୁ ପ୍ରାପ୍ତ ଆର୍ଥିକ ସହାୟତା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଜୀବିକାର୍ଜନ ଓ ଆର୍ଥିକ ସ୍ୱାବଲମ୍ବନ ଦିଗରେ କିପରି ସହାୟକ ହୋଇଛି, ସେ ସମ୍ପର୍କରେ ସେମାନେ ନିଜ ଅନୁଭୂତି ବାଣ୍ଟିଥିଲେ ।
ଏଥିରେ ବହୁ ସଂଖ୍ୟାରେ ମହିଳା ହିତାଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।