ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ ଘଟିବ । ଦେଶରେ ବଢ଼ୁଥିବା ଚିନିଦର ନେଇ ଏହି ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଚିନିକଳ ଆସୋସିଏସନ୍ ବା ISMA । ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ କଳାବଜାରୀ ଯୋଗୁ ଚିନିଦର ୧୬ ପ୍ରତିଶତରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ କେଜି ପିଛା ୬୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ବୋଲି ସ୍ପଷ୍ଟ କରିଛନ୍ତି I SMA ସଭାପତି ନିରଜ ଶିରଗାଓକର । କହିଛନ୍ତି, ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ମୋଟ ଚିନି ଉତ୍ପାଦନ ପ୍ରାୟ ୨୭୯ ଲକ୍ଷ ଟନ୍ ରହିବ ବୋଲି ଆକଳନ କରାଯାଇଛି ।
ସେହିପରି ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ ୩୫ ଲକ୍ଷ ଟନ୍ ଚିନି ସୁରକ୍ଷିତ ଭାବେ ଗଚ୍ଛିତ ରହିବ । ଅପରପକ୍ଷେ ବର୍ତ୍ତମାନ କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ କଞ୍ଚାମାଲ୍ ଉପରେ ଉପରେ ଆମଦାନୀ ଶୁଳ୍କ ଛାଡ଼ କରିବା ପରେ ବଜାରରେ ଏହାର ମୂଲ୍ୟ କମିବା ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୧୫ ରୁ ଚିନି କଳଗୁଡ଼ିକରେ ଆଖୁ ପେଡ଼ା କାମ ଆରମ୍ଭ ହେବ । ଯାହାଫଳରେ ବଜାରକୁ ଆଉ ୧୦ ରୁ ୧୨ ଲକ୍ଷ ଟନ୍ ନୂଆ ଚିନି ଆସିବ ବୋଲି ଶିରଗାଓକର କହିଛନ୍ତି । ଅପରପକ୍ଷେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ଯୋଗୁଁ ଚିନି ଦର ବୃଦ୍ଧି ପାଇଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଗୁଜବ ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର ସମ୍ପୂର୍ଣ୍ଣ ରୂପେ ମିଛ ଭିତ୍ତିହୀନ । କାରଣ ବର୍ତ୍ତମାନ ୭୫ ପ୍ରତିଶତ ଇଥାନଲ୍ ଖାଦ୍ୟଶସ୍ୟରୁ ପ୍ରସ୍ତୁତ ହେଉଛି । ଯାହାଦ୍ୱାରା ଦେଶର ଚିନି ବ୍ୟବହାର ଉପରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସ୍ପଷ୍ଟ କରିଛି ISMA ।
