ମୟୂରଭଞ୍ଜ କ୍ରୀଡ଼ା ଅଧିକାରୀ ବୈଷୟିକ ଷ୍ଟାଫ୍ ଭାବେ ମନୋନୀତ
ବାରିପଦା, : ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକଙ୍କୁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ୱାର୍ଲ୍ଡ କଣ୍ଟିନେଣ୍ଟାଲ ସିଲଭର୍ ଲେଭଲ୍ ଆଥଲେଟିକ୍ସ ମିଟ୍-୨୦୨୬ ପାଇଁ ବୈଷୟିକ ଷ୍ଟାଫ୍ ଭାବେ ଚୟନ କରାଯାଇଛି । ଏହି ଅନ୍ତର୍ଜାତୀୟସ୍ତରୀୟ ଆଥଲେଟିକ୍ସ ମିଟ୍ ଆସନ୍ତା ୨୨ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ ।
ଏକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ବୈଷୟିକ ଦାୟିତ୍ୱ ନିର୍ବାହ ପାଇଁ ଡ. ନାୟକଙ୍କ ଚୟନ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବର ବିଷୟ । ଏହି ଚୟନ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା, ଅଭିଜ୍ଞତା ଓ ବୈଷୟିକ ଜ୍ଞାନର ସ୍ୱୀକୃତି ବହନ କରୁଛି ।
ସୂଚନାଯୋଗ୍ୟ ଯେ, ଡ. ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିକଟରେ ୭୨ତମ ଓଡ଼ିଶା ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍–୨୦୨୬ ରାଇରଙ୍ଗପୁରସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାର ସଫଳ ଆୟୋଜନରେ ତାଙ୍କର ଦକ୍ଷତା, ଅଭିଜ୍ଞତା ଓ ନେତୃତ୍ୱର ପ୍ରତିଫଳନ ଦେଖିବାକୁ ମିଳିଥିଲା ।
ଏହି ଗୌରବମୟ ସଫଳତା ପାଇଁ ଡ. ନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିବା ସହ ବିଶ୍ୱ କଣ୍ଟିନେଣ୍ଟାଲ୍ ସିଲଭର ଲେଭଲ୍ ଆଥଲେଟିକ୍ସ ମିଟ୍ରେ ତାଙ୍କର ବୈଷୟିକ ଦାୟିତ୍ୱର ସଫଳ ନିର୍ବାହ ପାଇଁ ଶୁଭେଚ୍ଛା ଜଣାଯାଇଛି ।
