HP KO1 b0AAtnBc 750x430

ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍‌ଚିଟ୍

ଦେଶ - ବିଦେଶ

ଅଯୋଧ୍ୟା : ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି SIT । ଉଭୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ ।

ଖବର ମୁତାବକ, ରାମ ମନ୍ଦିର ଦାନଅର୍ଥ ହେରଫେର ମାମଲାରେ ଉତ୍ତର ପ୍ରଦେଶ ଗ୍ହ ବିଭାବ ଏସଆଇଟି ଗଠନ କରିଥିଲା । ଏସଆଇଟି ନିଜର ଯାଞ୍ଚ ରିପୋର୍ଟ ପ୍ରଦାନ କରିଛି । ଫାଇନାଲ ରିପୋର୍ଟରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କୁ କୌଣସି ପ୍ରକାରେ ଦୋଷୀ ସାମିଲ କରାଯାଇ ନାହିଁ । ଏସଆଇଟିର ଏହି ଚୂଡ଼ାନ୍ତ ରିପୋର୍ଟରେ କେବଳ ସେହି ୮ ଜଣ ବ୍ୟକ୍ତିଙ୍କ ନାମ ରହିଛି, ଯାହାଙ୍କୁ ପୂର୍ବରୁ ପୁଲିସ ତଦନ୍ତ ସମୟରେ ଗିରଫ କରିଥିଲା । ତଦନ୍ତ ଏଜେନ୍ସି ଏହି ଗିରଫ ଅଭିଯୁକ୍ତମାନଙ୍କୁ ହିଁ ଏହି ସମଗ୍ର ମାମଲାର ମୁଖ୍ୟ ଦାୟୀ ବୋଲି ଦର୍ଶାଇଛି ।

ପ୍ରଥମରୁ ଚମ୍ପତ ରାୟଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥିବାବେଳେ, ଅନ୍ତିମ ରିପୋର୍ଟରେ ତାଙ୍କୁ ସମ୍ପୂର୍ଣ୍ଣ କ୍ଲିନ ଚିଟ୍ ମିଳିଛି । ସେହିପରି, ପ୍ରାରମ୍ଭିକ ତଦନ୍ତ ସମୟରେ ଅନିଲ ମିଶ୍ରଙ୍କ ବିରୋଧରେ ଦାନ ଗଣତି ବେଳେ କେବଳ ତଦାରଖରେ କିଛି ଅବହେଳା ଥିବା କୁହାଯାଇଥିଲା, କିନ୍ତୁ ତାଙ୍କୁ ସିଧାସଳଖ ଅଭିଯୁକ୍ତ କରାଯାଇ ନଥିଲା । ଫାଇନାଲ ରିପୋର୍ଟରେ ମଧ୍ୟ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ପ୍ରମାଣିତ ହୋଇନାହିଁ ଏବଂ ତାଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରୁ ବାଦ୍ ଦିଆଯାଇଛି ।

ସୂଚନାଯୋଗ୍ୟ, ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ମାମଲାରେ ଯାଞ୍ଚ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଦାନ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଚମ୍ପତ ରାୟ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ଏହି ମାମଲାରେ ୮ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଥିଲା । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି ।