IMG 20260816 WA0007

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ରାଜ୍ୟ

ବାରିପଦା: ଦୀର୍ଘ ୪୪ ବର୍ଷ ଧରି ଭାଷା, ସାହିତ୍ୟ , ସଂସ୍କୃତି , କଳା ଓ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ବହୁଭାଷୀ କବି ସମ୍ମିଳନୀ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ(ସଦ୍‌ଭାବନା ସଭା ଗୃହ) ଠାରେ ପ୍ରତିଷ୍ଠାନର ସ୍ଥାୟୀ ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ପୌରହିତ୍ୟରେ ଏକ ଆଡମ୍ବରପୂର୍ଣ୍ଣ ପରିବୋରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ସାହିତ୍ୟର ସେବା ସମାଜର ସେବା, ସାହିତ୍ୟର ସେବା ମାନବର ସେବା, ସାହିତ୍ୟର ସେବା ମାଧବର ସେବା ବୋଲି ଉଲ୍ଲେଖ କରି ସତ୍ ସାହିତ୍ୟର ପ୍ରଚାର ଫଳରେ ପରିବାର ଭିତରେ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇବା ସହ ନିଜ ଘରକୁ ବୈକୁଣ୍ଠରେ ରୂପାନ୍ତରିତ କରାଯାଇ ପାରିବ ବୋଲି ମତ ଦେଇଥିଲେ ।

ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ପ୍ରମୋଦ କୁମାର ଶତପଥୀ ମୁଖ୍ୟଅତିଥି, ଜିଲ୍ଲାଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ମୁଖ୍ୟ ବକ୍ତା, ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ କବିତା ହେଉଛି ଶବ୍ଦର ଏକ ଯାଦୁକରୀ ଶିଳ୍ପ, ଏହାର ଛନ୍ଦେ ଛନ୍ଦେ ବାଜିଉଠେ ଜୀବନର ସାମ ସଂଗୀତ , ବିଶ୍ୱର ରହସ୍ୟ ହୁଏ ଉନ୍ମଚିତ । ପ୍ରତିଶ୍ରୁତି ଏହି ବହୁଭାଷୀ କବି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ଭାଷାଭାଷୀ କବି ମାନଙ୍କ ଭିତରେ ଏକ ସୁନ୍ଦର ସମ୍ପର୍କ ଯୋଡିବା ପାଇଁ ଉଦ୍ୟମ କରିଛି ବୋଲି କହି ପ୍ରତିଷ୍ଠାନର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ସେଠୀ କବିତା ମାଧ୍ୟମରେ କହିଲେ ଯେ କବିତାର ଭାଷା ସ୍ୱତନ୍ତ୍ର ଏହା କବିର ଦିବ୍ୟ ଭାବନାରେ ଉଦବ୍‌ୁଦ୍ଧ ହୁଏ ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମହାନ୍ତି କହିଲେ କବିତା ସତ୍ୟ ଓ ବାସ୍ତବତା କଳ୍ପନା ଓ ସୌନ୍ଦର୍ଯ୍ୟବୋଧର ସମନ୍ୱୟରେ ସାର୍ବଜନୀନତା ଲାଭ କରିଥାଏ ବୋଲି ଉଲ୍ଲେଖ କରି ପ୍ରତିଶ୍ରୁତି ଦୀର୍ଘ ୪୪ ବର୍ଷ ଧରି କବିତା ପାଠୋତ୍ସବ ଆୟୋଜନ ପୂର୍ବକ ତାର ଏହି ପ୍ରୟାସ ଜାରି ରଖିଥିବାରୁ ପ୍ରତିଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରତିଶ୍ରୁତି ତରଫରୁ ନଗରପାଳ ଶ୍ରୀଯୁକ୍ତ ମହାନ୍ତିଙ୍କୁ ମୟୂରଭଞ୍ଜର ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରେ ସମର୍ପିତ ପ୍ରତିଷ୍ଠାନର ସର୍ବୋଚ୍ଚ ମର୍ଯ୍ୟାଦା ଜନକ ସମ୍ମାନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସ୍ମୃତି ସମ୍ମାନ-୨୦୨୬ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ଶ୍ରୀଯୁକ୍ତ ମହାନ୍ତିଙ୍କୁ ମାନପତ୍ର, ଉତ୍ତରୀୟ, ପଗଡି, ଟ୍ରଫି ଓ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ତଥା ପୁଷ୍ପଗୁଚ୍ଛ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଡ. ସଂଜୀବ କୁମାର ପାଣିଗ୍ରାହୀ । ପରେ କବୟିତ୍ରୀ ସୁଧାମୟୀ ଦାସ ଓ କବି ଗୋପାଳ ଚନ୍ଦ୍ର ସାଓଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଓଡ଼ିଆ, ସଂସ୍କୃତ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ହୋ, ସାନ୍ତାଳି, ମୁଣ୍ଡାରି ପ୍ରଭୃତି ବିଭିନ୍ନ ଭାଷାର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ସଂଗୀତ ଶିଳ୍ପୀ ସୁଶ୍ରୀ ଭାରତୀ ବେବର୍ତ୍ତା ଶ୍ରୀଜଗନ୍ନାଥଙ୍କ ଭଜନ ଓ ବନ୍ଦେ ମାତରମ୍ ଗାନ କରିଥିଲେ । ସଭାପତି ଡା. ଜେନା ପଠିତ କବିତା ଗୁଡିକର ସମୀକ୍ଷା କରି କହିଲେ ସାହିତ୍ୟ ସବୁବେଳେ ସମାଜର ହିତ ସାଧନ କରେ । ସମାଜକୁ ଉଚିତ ମାର୍ଗରେ ପରିଚାଳିତ କରିବା ସାହିତ୍ୟିକ ମାନଙ୍କର ପରମ କର୍ତ୍ତବ୍ୟ ଏବଂ ନୈତିକ ତଥା ଆଧ୍ୟାତ୍ମିକ ଉନ୍ନତି ବିନା ସମାଜକୁ ଶୃଙ୍ଖଳିତ କରାଯାଇ ପାରିବ ନାହିଁ ସେଥି ପାଇଁ କବି ଓ ଲେଖକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ କବି ବନମାଳି ପାତ୍ର ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।