ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ପଞ୍ଚାୟତର ଖୀଖିଳିଡି ନିକଟରେ ନିର୍ମାଣ ହୋଇଥିବା କେନାଲ୍ର କଂକ୍ରିଟ୍ ଲାଇନିଂ ମାତ୍ର ତିନି ମାସ ମଧ୍ୟରେ ଫାଟି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବରୁ କେନାଲ୍ର ପାଣି ଯିବା ଅଂଶକୁ କଂକ୍ରିଟ୍ ଲାଇନିଂ କରାଯାଇଥିଲା। ହେଲେ ଏତେ କମ୍ ସମୟ ମଧ୍ୟରେ କଂକ୍ରିଟ୍ ଫାଟି ଭାଙ୍ଗିଯିବାରୁ ନିର୍ମାଣ କାମର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି।
କେନାଲ୍ ନିର୍ମାଣରେ କେଉଁ ମାନର ସାମଗ୍ରୀ ବ୍ୟବହାର ହୋଇଥିଲା, କଂକ୍ରିଟ୍ ଲାଇନିଂ କେତେ ମୋଟା କରାଯାଇଥିଲା, କାମଟି କେଉଁ ଠିକାଦାରଙ୍କ ଦ୍ୱାରା କରାଯାଇଥିଲା ଏବଂ ନିର୍ମାଣ ସମୟରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଗୁଣବତ୍ତା ଯାଞ୍ଚ କରାଯାଇଥିଲା କି ନାହିଁ—ତାହା ନେଇ ତଦନ୍ତର ଆବଶ୍ୟକତା ରହିଛି।
ଏହି ଘଟଣାର ତୁରନ୍ତ ତଦନ୍ତ କରି ନିର୍ମାଣ କାମର ମାନ ଯାଞ୍ଚ କରିବାକୁ ମାସା ସଂଗଠନର ଜିଲ୍ଲା ସମ୍ପାଦକ ହାଡ଼ିବନ୍ଧୁ ଟୁଡୁ ଦାବି କରିଛନ୍ତି। ନିର୍ମାଣ କାମରେ ଅନିୟମିତତା ହୋଇଥିଲେ ତାହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ତଦନ୍ତ କରାଯାଇନଥିଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ହାଡ଼ିବନ୍ଧୁ ଟୁଡୁ ମତ ପ୍ରକାଶ କରିଛନ୍ତି।
