IMG 20260807 WA0209

ଶ୍ରୀମଦ୍ ଭଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା

ରାଜ୍ୟ

ବାରିପଦା : ମୟୂରଭଞ୍ଜର ଏକ ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାବାଣୀ ପ୍ରଚାର ସଂଘ ଆନୁକୂଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ଶ୍ରୀମଦ୍ ଭଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭା କକ୍ଷରେ ସଂଘର ପ୍ରତିଷ୍ଠାତା ସଭାପତି ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବାଚକ ଭାଗବତ ପଣ୍ଡା ଭଗବଦ୍ ଗୀତା ପାଠର ଉପାଦେୟତା ସମ୍ପର୍କରେ ଉଲ୍ଲେଖ କରି ଗୀତା ହିଁ ମାନବ ଜୀବନର ଏକ ମାତ୍ର ଆଧାର ଯାହାକୁ ପାଥେୟ କରି ଜଣେ ମଣିଷ କିପରି ଜଣେ ଭଲ ମଣିଷ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହିତ ପ୍ରତିଯୋଗିତା ସମ୍ପର୍କରେ ନିୟମାବଳୀ ପ୍ରକାଶ କରିଥିଲେ ।

ଉକ୍ତ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଏକଦଶ ଶ୍ରେଣୀ ଛାତ୍ରୀ ଅଞ୍ଜଳିକା ଦାଶ – ପ୍ରଥମ, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ ହରିପ୍ରିୟା ମାହାର୍ଣ୍ଣା – ଦ୍ୱିତୀୟ, ବି.ସି.ସି. ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଏକାଦଶ ଶ୍ରେଣୀ ଛାତ୍ରୀ – ଗୀତାଞ୍ଜଳୀ ଧର ମହାପାତ୍ର -ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବିଭାଗରେ ସାଇ ଆଦର୍ଶ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ତେଜସ୍ୱିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନନ୍ଦିନୀ କର୍ମକାର ଦ୍ୱିତୀୟ ଓ ଶୁଭଶ୍ରୀ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସ୍ନେହାଶିନୀ ବେହେରା ତୃତୀୟସ୍ଥାନ ଅଧିକାର କରି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଡାକ୍ତର ପାର୍ଥ ସାରଥୀ ଜେନା ଓ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସଂକର୍ଷଣ ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇ ପ୍ରତିଭାମାନଙ୍କର ମୂଲ୍ୟାୟନ କରିଥିଲେ ।

ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରତିଭା ପ୍ରମାଣ ପତ୍ର ସଂଘ ତରଫରୁ ପ୍ରଦାନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ପରିଶେଷରେ ସଂଘର ସମ୍ପାଦକ ଭାଗବତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।