ଭୁବନେଶ୍ୱର : ମାଡ଼ି ଆସୁଛି ପଶ୍ଚିମାଝଡ଼ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏପଟେ ଉତ୍ତର ଓଡ଼ିଶା ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଓଡ଼ିଶାରେ ୨ ଦିନ ପ୍ରବଳ ବର୍ଷିବ । ବର୍ଷା ପାଇଁ ସାରା ଓଡ଼ିଶାକୁ ୱାର୍ଣ୍ଣିଂ । ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଅନ୍ୟ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଜଳଜମା ଏବଂ ନଦୀ-ନାଳର ଜଳସ୍ତର ବଢ଼ିବାର ଆଶଙ୍କା ରହିଛି । ତେଣୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ଲଘୁଚାପର ପ୍ରଭାବ କେତେ ତୀବ୍ର ହେବ ଓ କେଉଁ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ, ସେନେଇ ପାଣିପାଗ ବିଭାଗର ସୂଚନା ଉପରେ ସମସ୍ତଙ୍କ ନଜର ରହିଛି ।
