Mukesh Mahaling 750x430 1 300x172

କର୍କଟ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଦେୟମୁକ୍ତ ହେବ କ୍ୟାନସର ରୋଗୀଙ୍କ ଜଟିଳ ଚିକିତ୍ସା

ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍.ଜେ.ଏ.ୱାଇ.) ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ରେ ସାମିଲ କରାଯାଇଛି।

ଏହି ନୂତନ ପଦକ୍ଷେପ ଫଳରେ ରାଜ୍ୟର କ୍ୟାନସର ରୋଗୀମାନେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ। ଏ ନେଇ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, “ରାଜ୍ୟରେ ଆଉ କ୍ୟାନସର ରୋଗୀ ହନ୍ତସନ୍ତ ହେବେନି, ଗୁଣାତ୍ମକ ଓ ଦେୟମୁକ୍ତ ସୁପର ସ୍ପେସାଲିଟି ଚିକିତ୍ସା ପାଇବେ ରାଜ୍ୟର ହିତାଧିକାରୀ।”

  • ପ୍ୟାକେଜ୍ ବୃଦ୍ଧି: ପୂର୍ବରୁ ଉପଲବ୍ଧ ଥିବା ୨୧୬୩ଟି ପ୍ୟାକେଜରେ ୯୧ଟି ନୂଆ ପ୍ୟାକେଜ ଯୋଡ଼ିହେବା ଫଳରେ ମୋଟ ଚିକିତ୍ସା ପ୍ୟାକେଜ ସଂଖ୍ୟା ୨୨୫୪ରେ ପହଞ୍ଚିଛି।

  • ବଜେଟ୍ ବ୍ୟବସ୍ଥା: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ କ୍ୟାନସର ଚିକିତ୍ସା ନିମନ୍ତେ ୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

  • ସୁବିଧା ଓ ସେବା: ଏହି ପାଣ୍ଠି ମାଧ୍ୟମରେ ଦେୟମୁକ୍ତ ଚିକିତ୍ସା, ଗୋଷ୍ଠୀ ସଚେତନତା, ମୋବାଇଲ କ୍ୟାମ୍ପ, ଡିଜିଟାଲ-ହବ, ସ୍ପୋକ ମଡେଲ ଏବଂ ମାଗଣା ଯାତାୟତ ସୁବିଧା ଯୋଗାଇ ଦିଆଯିବ।

  • ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)ର ଅନୁମୋଦନ: ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କ୍ରମେ NHA ଏହି ୯୧ଟି ପ୍ୟାକେଜକୁ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ଅନୁମୋଦନ କରିଛି। ଏଥିପାଇଁ ରାଜ୍ୟର ସମସ୍ତ ତାଲିକାଭୁକ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ନୂଆ ପ୍ୟାକେଜ ସାମିଲ ହେବା ପରେ ରାଜ୍ୟର ଅନେକ କ୍ୟାନସର ରୋଗୀ ଏହାର ଲାଭ ଉଠାଇବା ଆରମ୍ଭ କରିଛନ୍ତି:

  • ଆର୍ଯ୍ୟଭାନୁ ମହାନ୍ତି (୩୨ ବର୍ଷ): ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ଆର୍ଯ୍ୟଭାନୁ ମାରାତ୍ମକ ଅଣ୍ଡକୋଷ କ୍ୟାନସରରେ ପୀଡ଼ିତ ଥିଲେ। ନୂତନ ପ୍ୟାକେଜ୍ ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ଏବଂ ସେ ବର୍ତ୍ତମାନ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି।

  • ଜ୍ୟୋସ୍ନାରାଣୀ ମହାନ୍ତି (୬୨ ବର୍ଷ): ଭଦ୍ରକ ପୌରାଞ୍ଚଳ ଜଗନ୍ନାଥପୁରର ବାସିନ୍ଦା ଜ୍ୟୋସ୍ନାରାଣୀଙ୍କର ଗର୍ଭାଶୟ କର୍କଟ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି। ସେ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିଶ୍ଚାର୍ଜ ହେବେ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ସମୟୋପଯୋଗୀ ଚିକିତ୍ସା ଏବଂ ଆର୍ଥିକ ବୋଝରୁ ମୁକ୍ତି ମିଳିଥିବାରୁ ଉଭୟ ରୋଗୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସରକାରଙ୍କ ଏହି ଯୋଜନା ନଥିଲେ ଏତେ ବ୍ୟୟବହୁଳ ଚିକିତ୍ସା କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇଥାନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି।

କ୍ୟାନସର ରୋଗର ଚିକିତ୍ସା ସର୍ଜରୀ, କେମୋଥେରାପି ଓ ରେଡିଏସନ ଭଳି ବହୁ ବିଭାଗର ସମନ୍ୱିତ ପଦ୍ଧତି ଉପରେ ନିର୍ଭର କରେ, ଯାହା ଅତ୍ୟନ୍ତ ଖର୍ଚ୍ଚବହୁଳ ଅଟେ। ତେଣୁ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ ଓ ଲୋକମୁଖୀ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ପରିସରକୁ ନିରନ୍ତର ବୃଦ୍ଧି କରୁଛନ୍ତି।