IMG 20260803 WA0118

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ରାଜ୍ୟ
  • ୧୮୯ଟି ଅଭିଯୋଗର ଶୁଣାଣି; ୧୫ଟି ଅଭିଯୋଗର ତତ୍କାଳ ସମାଧାନ
ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ବାରିପଦା ଉପଖଣ୍ଡ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ବାରିପଦା ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା, ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା. ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ ।
               ଆଜିର ଜନ ଅଭିଯୋଗ ଶୁଣାଣିରେ ସର୍ବମୋଟ ୧୮୯ଟି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୧୭୩ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୂହିକ ଅଭିଯୋଗ ଥିଲା । ତନ୍ମଧ୍ୟରୁ ୧୫ଟି ଅଭିଯୋଗର ତତ୍କାଳ ସମାଧାନ ଶିବିର ପରିସରରେ କରାଯାଇଥିଲା । ଏହାବ୍ୟତୀତ ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏବଂ ୫ ଜଣଙ୍କୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଅନ୍ୟାନ୍ୟ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଯଥାର୍ଥ ଅନୁଧ୍ୟାନ କରି ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ସୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
           ଉକ୍ତ  ଜନ ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡର ବିଭିନ୍ନ ବ୍ଲକ ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।