ବାରିପଦା : ଦିବ୍ୟାଙ୍ଗ ପାରା କ୍ରୀଡାବିତଙ୍କ ଆତ୍ମନିର୍ଭରଶୀଳତା ଓ ସମ୍ମାନଜନକ ଜୀବନଯାପନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଶିଷ୍ଟ ପାରା ସନ୍ତରଣକାରୀ ଚୈତନ୍ୟ ମାରାଣ୍ଡି ଓ କମଲ ଟୁଡୁଙ୍କୁ ଦୁଇଟି ବ୍ୟାଟେରୀଚାଳିତ ବୈଦ୍ୟୁତିକ ତିନି ଚକିଆ ଯାନ ପ୍ରଦାନ କରାଯାଇଛି । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ହିତାଧିକାରୀଦ୍ୱୟଙ୍କୁ ବ୍ୟାଟେରୀଚାଳିତ ବୈଦ୍ୟୁତିକ ତିନି ଚକିଆ ଯାନ ହସ୍ତାନ୍ତର କରିବା ସହ ସେମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ । ଏହି ସହାୟକ ଉପକରଣର ସଦୁପଯୋଗ କରି ଦୈନନ୍ଦିନ ଜୀବନରେ ଅଧିକ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ସହିତ କ୍ରୀଡ଼ା କ୍ଷେତ୍ରରେ ଆହୁରି ସଫଳତା ହାସଲ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଡ଼ଃ ମହାପାତ୍ର କହିଥିଲେ ଯେ, ପାରା କ୍ରୀଡାବିତମାନେ ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠୋର ପରିଶ୍ରମ ଓ ଅସାଧାରଣ ଦକ୍ଷତା ବଳରେ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଓଡ଼ିଶା ତଥା ମୟୂରଭଞ୍ଜର ଗୌରବକୁ ଉଚ୍ଚକୁ ନେଇଛନ୍ତି । ସେମାନଙ୍କ ସଫଳତା ସମଗ୍ର ସମାଜ ପାଇଁ ଅଦମ୍ୟ ସାହସ, ଦୃଢ଼ ସଙ୍କଳ୍ପ ଓ ଆତ୍ମବିଶ୍ୱାସର ଏ ଉଜ୍ଜ୍ୱଳ ପ୍ରତିଫଳନ । ସେ ଆହୁରି କହିଥିଲେ ଯେ, ଦିବ୍ୟାଙ୍ଗ କ୍ରୀଡାବିତମାନଙ୍କ ପ୍ରତିଭାର ବିକାଶ, କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳ ଅଂଶଗ୍ରହଣ ଏବଂ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ସର୍ବଦା ପ୍ରତିବଦ୍ଧ । ଏଭଳି ସହାୟତା ଓ ପ୍ରୋତ୍ସାହନ ସେମାନଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅଧିକ ସଫଳତା ଅର୍ଜନ କରି ରାଜ୍ୟ ତଥା ଦେଶ ପାଇଁ ଅଧିକ ଗୌରବ ଆଣିବାରେ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହେମକାନ୍ତ ସୟ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସମେତ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପିନାଥ ସୟ ପରିଚାଳନା କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିଥିଲେ ।
