IMG 20260801 WA0168

ଆସନ୍ତା ୭, ୮ ଓ ୯ରେ ରାଇରଙ୍ଗପୁର ସ୍ପୋର୍ଟ୍ସ କଂପ୍ଲେକ୍ସରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଚଳିତ ମାସ ୭, ୮, ଓ ୯ ତାରିଖ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ୭୨ତମ ଆଥଲେଟିକ ମିଟ୍‌କୁ ସଫଳ, ସୁସଂଗଠିତ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଦୌଡ଼କୁଦ ପ୍ରତିଯୋଗିତାର ବିସ୍ତୃତ ସୂଚନା ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ସୁଭାଶିଷ ନାୟକ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୩୦ ଟି ଜିଲ୍ଲା ଏବଂ ଭୁବନେଶ୍ୱର, ରାଉରକେଲା,କିଟସ, ଓ ପାରାଦ୍ୱୀପକୁ ମିଶାଇ ୩୪ଟି ସ୍ଥାନର ଖେଳାଳି ମାନେ ଅଂଶ ଗ୍ରହଣ କରିବେ। ଉକ୍ତ ପ୍ରତିଯୋଗିତାରେ ୧୪ ବର୍ଷରୁ କମ , ୧୬ ବର୍ଷରୁ କମ , ୧୮ବର୍ଷରୁ କମ ଓ ୨୦ ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକାଙ୍କୁ ମିଶାଇ ପାଖାପାଖି ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ଏବଂ ୨୬ ପ୍ରକାର ଖେଳକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ଖେଳ ପୃଥକ ପୃଥକ ଭାବେ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ।ଏହାର ଉଦଘାଟନୀ ଉତ୍ସବ ୭ତାରିଖ ଅପରାହ୍ନ ୩-୩୦ ମିନିଟ ସମୟରେ ଅନୁଷ୍ଠିତ ହେବ। ଏହାର ସୁଚାରୁ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଖେଳାଳି ଓ କ୍ରୀଡ଼ା ପ୍ରତିନିଧି ଓ ଅତିଥିଙ୍କ ରହଣି, ଯାତାୟାତ, ପାନୀୟ ଜଳ, ପରିମଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବ୍ୟବସ୍ଥା, ପ୍ରଚାର ପ୍ରସାର ଏବଂ କ୍ରୀଡ଼ା ପ୍ରତିଯୋଗିତା ସ୍ଥଳର ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ତମ ଆତିଥ୍ୟ ଓ ଆବଶ୍ୟକ ସୁବିଧା ଯୋଗାଇଦେବା ସହିତ ପ୍ରତିଯୋଗିତାକୁ ସୁରକ୍ଷିତ ଓ ସୁନ୍ଦର ପରିବେଶରେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ  ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ତହସିଲଦାର ଶ୍ରୀ ଭାବାନି ପ୍ରସାଦ ସାହୁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ପୁଲିସ ଏସ ଆଇ ଶ୍ରୀ ଗଙ୍ଗାଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ  ବିକାଶ ରଞ୍ଜନ ମହାନ୍ତି, ଏବିଇଓ ଶ୍ରୀ ହେମ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, ଆୟୋଜକ କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ଭବ୍ୟ ଓ ସଫଳ କରିବା ପାଇଁ ସମସ୍ତ ବିଭାଗ, ଆୟୋଜକ ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।