WhatsApp Image 2026 07 25 at 9.19.45 PM

“ପ୍ରତିଶ୍ରୁତି” ର ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

ରାଜ୍ୟ
ବାରିପଦା: ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସାହିତ୍ୟିକ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ଓ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା “ପ୍ରତିଶ୍ରୁତି” ର ରଥଯାତ୍ରା ବିଶେଷାଙ୍କ ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ସଭାପତିତ୍ୱରେ ଲୋକାର୍ପିତ ହୋଇଯାଇଛି । ଉକ୍ତ ଲୋକାର୍ପଣ ଉତ୍ସବରେ ମୟୂରଭଞ୍ଜର ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ, ମୁଖ୍ୟଅତିଥି, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବରୁଣ ଗୁଣ୍ଠୁପାଲି ସମ୍ମାନୀତ ଅତିଥି, ବାରିପଦା ପୌରପରିଷଦର ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟବକ୍ତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ  ନେତ୍ରାନନ୍ଦ ମଲ୍ଲିକ ବିଶିଷ୍ଟ ଅତିଥି, ଉପଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦୀପକ ଗୋଚ୍ଛାୟତ ପ୍ରମୁଖ ସମ୍ମାନୀତ ବକ୍ତାଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ପତ୍ରିକାକୁ ଲୋକାର୍ପିତ କରି ଏହି ପତ୍ରିକାରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରକାଶିତ ରଚନା ନିଶ୍ଚିତ ଭାବେ ପାଠକ ମାନଙ୍କ ଭିତରେ ଏ ଜାତିର ସଂସ୍କୃତି ତଥା ଜଗନ୍ନାଥଙ୍କ ତତ୍ତ୍ୱ ସମ୍ପର୍କରେ ଜ୍ଞାନ ଲାଭ ପାଇଁ ବିଶେଷ ଖୋରାକ ଯୋଗାଇବ ବୋଲି କହିଥିଲେ । ମୁଖ୍ୟବକ୍ତା ନଗରପାଳ ଶ୍ରୀଯୁକ୍ତ ମହାନ୍ତି ଏ ପତ୍ରିକା ଦୀର୍ଘ ୪୪ ବର୍ଷ ଧରି ମୟୂରଭଞ୍ଜରେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଆନ୍ଦୋଳନ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିବା ସହିତ ସାହିତ୍ୟ ଗୋଟିଏ ଜାତିର ସ୍ପନ୍ଦନ ବୋଲି ଉଲ୍ଲେଖ କରିଥିଲେ ।
ସମ୍ମାନୀତ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗୁଣ୍ଠୁପାଲି ପତ୍ରିକାର ପ୍ରଚ୍ଛଦପଟ ଆକର୍ଷଣୀୟ ହୋଇଛି ବୋଲି କହିବା ସହିତ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏ ପତ୍ରିକା ଏକ ଦିଗବାରେଣୀ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମଲ୍ଲିକ ତାଙ୍କ ଅଭିଭାଷଣରେ ଗୋଟିଏ ଜାତି ତାର ସାହିତ୍ୟ ଓ ସଂସ୍କୃତି ପାଇଁ ସମାଜରେ ଶ୍ରେଷ୍ଠ ବିବେଚିତ ହୋଇଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିବା ସହିତ ପତ୍ର୍ରିକାର ଦୀର୍ଘ ଜୀବନ କାମନା କରିଥିଲେ । ସମ୍ମାନୀତ ବକ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗୋଚ୍ଛାୟତ ଓ ଉପ-ଜିଲ୍ଲାପାଳ ଶ୍ରୀମତୀ ପଣ୍ଡା ସମାଜର ହିତ ସାଧନ ପାଇଁ ସାହିତ୍ୟର ବିଶେଷ ଭୂମିକା ରହିଛି ଓ ଏ ପତ୍ରିକା ସେହି ଭୂମିକାକୁ ନିଭାଇବା ପାଇଁ ସମର୍ଥ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଡା. ଜେନା ଆଧ୍ୟାତ୍ମିକ ସାହିତ୍ୟ ହିଁ ମାନବ ଜୀବନକୁ ସୁଧାରିବାକୁ ସମର୍ଥ ବୋଲି କହିଥିଲେ । ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ଓଡ଼ିଶାର ବହୁ ଜଗନ୍ନାଥ ସଂସ୍କୃତି ଗବେଷକଙ୍କର ରଚନାରେ ସମୃଦ୍ଧ ଏ ପତ୍ରିକା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିବା ସହିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।