ବାରିପଦା : ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକ ଅନ୍ତର୍ଗତ ପାଟପୁର–ଲୁହାଶିଳା–ସରଗଡ଼ା ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ସୂଚନାଯୋଗ୍ୟ ରାଜ୍ଯରାଜପଥ ରାଇରଙ୍ଗପୁର – ବିଶୋଇ ରାସ୍ତା ଛକ ପାଟପୁର ରୁ ସରଗଡା ଗ୍ରାମର ଉନ୍ନୟନ ରାସ୍ତା ଯାଇଛି । ମୁଖ୍ୟ ରାସ୍ତା ଠାରୁ ୨ କିମି ଦୂର ପାଟପୁର ଗ୍ରାମ ମୁଣ୍ଡର ପୁରୁଣା ପୋଲ ବିପଦଶଙ୍କୁଳ ଅବସ୍ଥା ଯୋଗୁଁ ଅଳ୍ପ ଦୂରରେ ପୋଲ ନିର୍ମାଣ କରାଯାଉଛି ।ପୋଲଟି ଅର୍ଦ୍ଧ ନିର୍ମିତ ।ଗତ ୩/୪ ଦିନ ହେବ ଲଗାଣ ବର୍ଷା ଯୋଗୁଁ ପାହାଡ଼ ଉପରେ ମୁଣ୍ଡରୁ ପାଣି ତଳମୁଣ୍ଡକୁ ଆସୁଛି ।ତଦସହ ଗତକାଲି ମଧ୍ୟ ରାତ୍ରରେ ପ୍ରବଳ ବର୍ଷା ଯୋଗୁଁ ପାଣି ବଢ଼ିବା ଯୋଗୁ ପୋଲ ଉପରେ ପାଣି ଚାଲୁଥିଲା ।ଅର୍ଦ୍ଧ ନିର୍ମିତ ପୋଲ ମଧ୍ୟ କିଛି ଅଂଶ ଧୋଇଯାଇଛି । ପାଟପୁର ପୋଲର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ସାଧାରଣ ଲୋକଙ୍କୁ ବାଇପାସ୍ ରାସ୍ତାରେ ଯାତାୟାତ କରିବାକୁ ପଡ଼ୁଛି, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି।
ପ୍ରଶ୍ନ ହେଉଛି, ପାଟପୁର ପୋଲ ନିର୍ମାଣରେ ଏତେ ବିଳମ୍ବ କାହିଁକି? ବର୍ଷା ଋତୁ ପୂର୍ବରୁ ଠିକାଦାର କାମ ଶେଷ କରିନଥିବାର କାରଣ କ’ଣ? ଏହି ଅବହେଳା ପାଇଁ ଦାୟୀ କିଏ?
ଏହି ପରିସ୍ଥିତିରେ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ସହ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହାନ ମଧ୍ୟ ଯାତାୟାତ କରିପାରୁନାହାନ୍ତି।ରୋଗୀ ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ ,ସରକାରୀ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକମାନେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ କେବେ ଏହି ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେବ? ଲୋକଙ୍କ ଦୁର୍ଭୋଗକୁ ବିଚାର କରି ପାଟପୁର ପୋଲର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ଜନତା ଦାବି କରିଛନ୍ତି l
