ବାରିପଦା : ମୟୁରଭଞ୍ଜ ଜିଲ୍ଲା ତଥା ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ରରେ ରେଳ ସେବାର ସୁଧାର, ଯାତ୍ରୀ ସୁବିଧାର ବୃଦ୍ଧି ଏବଂ ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ନେଇ ବାଙ୍ଗିରିପୋଷିର ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଆଜି କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ଶ୍ରୀ ଅନିଲ ଜୈନଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ।
ଆଲୋଚନାରେ ବିଧାୟିକା ସର୍ବପ୍ରଥମେ ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସ ଟ୍ରେନର ବାରମ୍ବାର ବିଳମ୍ବିତ ଚଳାଚଳ ପ୍ରସଙ୍ଗ ଉଠାଇଥିଲେ। ଏହି ସମସ୍ୟା ଯୋଗୁଁ ପ୍ରତିଦିନ ହଜାର ହଜାର ଯାତ୍ରୀ, ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ସେ ମହାପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ। ଏହା ଉପରେ ଶ୍ରୀ ଜୈନ ତୁରନ୍ତ ତଦନ୍ତ କରାଯାଇ ଖୁବ୍ ଶୀଘ୍ର ଟ୍ରେନଟିକୁ ନିର୍ଦ୍ଧାରିତ ସମୟରେ ଚଳାଚଳ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟିକାଙ୍କୁ ଆଶ୍ୱାସନ ଦେଇଥିଲେ।
ଏହା ସହ ବିଧାୟିକା ବାଙ୍ଗିରିପୋଷି ଅଞ୍ଚଳର ରେଳ ସଂଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଏକାଧିକ ଦାବି ଉପସ୍ଥାପନ କରିଥିଲେ। ସେ ବାଙ୍ଗିରିପୋଷି–ରୂପ୍ସା ମେମୁ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ଦିନକୁ ଦୁଇଥର ଚଳାଚଳ କରାଇବା, ବାଙ୍ଗିରିପୋଷି–ଗୋରୁମହିଶାଣି ଏବଂ ବୁଢାମାରା–ଚାକୁଳିଆ ନୂତନ ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ।
ସେହିପରି ବୁଢାମାରା, କୁଚେଇ, ବାରିପଦା ଓ କେସିପୁର ରେଳ ଷ୍ଟେସନରେ ଲୁପ୍ ଲାଇନ ନିର୍ମାଣ, ବାଙ୍ଗିରିପୋଷି ରେଳ ଷ୍ଟେସନରେ ସଂରକ୍ଷିତ ଟିକେଟ୍ କାଉଣ୍ଟର ଖୋଲିବା, ଏବଂ ବାଙ୍ଗିରିପୋଷିରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଏକ ନୂତନ ଦୂରଗାମୀ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ବିଧାୟିକା ନିକଟରେ ନିର୍ମିତ ପୁନାସିଆ ରେଳ ଅଣ୍ଡରପାସ୍ ବର୍ଷା ଦିନରେ ପାଣି ଜମି ରହୁଥିବାରୁ ଯାନବାହନ ଓ ସାଧାରଣ ଲୋକଙ୍କ ଯାତାୟାତରେ ସୃଷ୍ଟି ହେଉଥିବା ଗୁରୁତର ସମସ୍ୟା ସମ୍ପର୍କରେ ମଧ୍ୟ ମହାପ୍ରବନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ।
ମହାପ୍ରବନ୍ଧକ ଶ୍ରୀ ଜୈନ ବିଧାୟିକାଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ପ୍ରସ୍ତାବକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ପ୍ରଦାନ କରିଥିଲେ। ମୟୂରଭଞ୍ଜ ଅଞ୍ଚଳର ରେଳ ଭିତ୍ତିଭୂମିର ବିକାଶ, ଯାତ୍ରୀ ସୁବିଧାର ସମ୍ପ୍ରସାରଣ ଏବଂ ଦୀର୍ଘଦିନର ଜନଦାବି ପୂରଣ ଦିଗରେ ବିଧାୟିକାଙ୍କ ଏହି ପଦକ୍ଷେପକୁ ଜିଲ୍ଲାବାସୀ ଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି।
