ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କ ପବିତ୍ର ନାମ ଓ ପରମ୍ପରା ପାଇଁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା ମିଳିଛି। ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବ ।
ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ, ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ଅନୁମୋଦିତ ହୋଇଥିବା ପାଞ୍ଚଟି ଆବେଦନ ହେଲା ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ,ନୀଳଚକ୍ର, କୋଇଲି ବୈକୁଣ୍ଠ। ଏହା ପରେ ଅନଧିକୃତ ଓ ବାଣିଜ୍ୟିକ ଅପବ୍ୟବହାର ଉପରେ ରୋକ ଲାଗିବ। ସାଧାରଣତଃ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ସଂସ୍ଥା ମହାପ୍ରଭୁଙ୍କ ଏହି ପବିତ୍ର ନାମଗୁଡ଼ିକୁ ନିଜର ବ୍ୟକ୍ତିଗତ ବ୍ୟବସାୟ ଓ ଲାଭ ପାଇଁ ବ୍ୟବହାର କରିଥାନ୍ତି।
ତେବେ ଟ୍ରେଡ୍ ମାର୍କ ପଞ୍ଜୀକରଣ ହେବା ଦ୍ୱାରା ଏହି ସମସ୍ତ ପବିତ୍ର ନାମର ଅନଧିକୃତ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ। କୌଣସି ବେସରକାରୀ ସଂସ୍ଥା ନିଜର ବାଣିଜ୍ୟିକ ଲାଭ ପାଇଁ ଏଗୁଡ଼ିକର ଅପବ୍ୟବହାର କରିପାରିବେ ନାହିଁ। ଏହା ସହ ଶ୍ରୀମନ୍ଦିରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅଧିକାର ସୁରକ୍ଷିତ ରହିବ।ଏହି ଅନୁମୋଦନଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ପୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
