ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ଉଚ୍ଚ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମୟୂରଭଞ୍ଜ ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ମୟୂରଭଞ୍ଜ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିଥିଲେ । ବୈଠକରେ ଏସାଇଆର୍-୨୦୨୬ର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇ ଏହାକୁ ସଠିକ୍ ସମୟରେ ସ୍ୱଚ୍ଛ ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ପର୍ଯ୍ୟବେକ୍ଷକ ଶ୍ରୀ ଅଗ୍ରୱାଲ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି ସେଥିପ୍ରତି ବିଶେଷ ଗୁରୁତ୍ୱାରୋପ କରିଥିଲେ । ନୋଟିସ ଜାରି ଓ ଶୁଣାଣି ପ୍ରକ୍ରିୟାକୁ ଅତ୍ୟନ୍ତ ସତର୍କତା, ସ୍ୱଚ୍ଛତା ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପାଦନ କରିବାକୁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସଂଶୋଧିତ ଭୋଟର ତାଲିକା ଯେପରି ସଠିକ୍, ନିର୍ଭୁଲ ଓ ସର୍ବସମାବେଶୀ ହୁଏ, ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ ଙ୍କ ସମେତ ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡ଼ା ଏବଂ ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପସ୍ଥିତ ଥିଲେ ।
