IMG 20260721 WA0158

ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବଣ୍ଟନ

ରାଜ୍ୟ

ବାରିପଦା : ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷରେ ଜିଲ୍ଲାର ୧୬ଟି ସ୍ଥାନରେ ଭିନ୍ନକ୍ଷମ ଶିଶୁମାନଙ୍କର ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା। ଏହି ଚିହ୍ନଟ ପ୍ରକ୍ରିୟାରେ ୫୮୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ମୟୂରଭଞ୍ଜର ସହଯୋଗରେ ଏହି କାର‌୍ୟ୍ୟକ୍ରମ ପରିଚାଳିତ ହୋଇଥିଲା। ପୂର୍ବରୁ ଚିହ୍ନଟ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପର‌୍ୟ୍ୟାୟକ୍ରମେ ଏହି ଉପକରଣ ବଣ୍ଟନ କରାଯାଇଛି। ଏହି କ୍ରମରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର, ଲାଲବଜାର, ବାରିପଦାଠାରେ ଦୁଇଦିନିଆ ବଣ୍ଟନ ଶିବିର ଆୟୋଜିତ ହୋଇଥିଲା।

ଏଥିରେ ତିନୋଟି ବ୍ଲକର ମୋଟ ୯୪ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବଣ୍ଟନ କରାଯାଇଥିଲା। ପ୍ରଥମ ଦିନରେ ମୋରଡା ବ୍ଲକର ୧୪ ଜଣ ଏବଂ ଶାମାଖୁଣ୍ଟା ବ୍ଲକର ୩୦ ଜଣ ଶିକ୍ଷାର୍ଥୀଙ୍କୁ ଉପକରଣ ବଣ୍ଟନ କରାଯାଇଥିବାବେଳେ, ଦ୍ୱିତୀୟ ଦିନରେ ବାରିପଦା ବ୍ଲକ ଓ ପୌରାଞ୍ଚଳର ୫୦ ଜଣ ଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ କରକମଳରେ ଉପକରଣ ପ୍ରଦାନ କରାଯାଇଥିଲା। ଏହି ଉପକରଣଗୁଡ଼ିକର ବ୍ୟବହାର ଦ୍ୱାରା ଶିଶୁମାନଙ୍କର ଚଳନ କ୍ଷମତା ଏବଂ ଅନ୍ୟାନ୍ୟ ଅଙ୍ଗର କାର‌୍ୟ୍ୟକ୍ଷମତାରେ ଉନ୍ନତି ଆସିଥାଏ। ଫଳସ୍ୱରୂପ ସେମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇ ଶିକ୍ଷାଗ୍ରହଣ କରିବା ସହିତ ଲେଖାପଢ଼ା ଓ ଦୈନନ୍ଦିନ କାର‌୍ୟ୍ୟ ସହଜରେ ସମ୍ପାଦନ କରିପାରିବେ । ପ୍ରଥମ ଦିନର କାର‌୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ୍) ଶ୍ରୀଯୁକ୍ତ ବିନୋଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସ୍ଥଳେ ଦ୍ୱିତୀୟ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କର ଅଭିଭାବକଙ୍କୁ ଉପକରଣ ବଣ୍ଟନ କରିବା ସହିତ ଏହାର ସଠିକ୍ ବ୍ୟବହାର, ନିୟମିତ ଅଭ୍ୟାସ, ଶିକ୍ଷାରେ ସକ୍ରିୟ ଅଂଶଗ୍ରହଣ ଏବଂ ଶିଶୁମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

କାର‌୍ୟ୍ୟକ୍ରମରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ମୟୂରଭଞ୍ଜର ବରିଷ୍ଠ ପ୍ରୋସ୍ଥେଟିଷ୍ଟ ଓ ଅର୍ଥୋଟିଷ୍ଟ ଶ୍ରୀ ବିପିନ ବିହାରୀ ବେହେରା, ଶ୍ରୀ ଅଭିଷେକ ଶା ଏବଂ ଶ୍ରୀ ତାପସ କୁମାର ପ୍ରଧାନ ଉପସ୍ଥିତ ରହି ଉପକରଣଗୁଡ଼ିକର ସଠିକ୍ ଓ ନିୟମିତ ବ୍ୟବହାର ସମ୍ପର୍କରେ ଶିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ସମଗ୍ର ଶିକ୍ଷା, ମୟୂରଭଞ୍ଜର ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ଉପସ୍ଥିତ ରହି ଅଭିଭାବକମାନଙ୍କୁ, ନିଜ ପିଲାଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ଗ୍ରହଣ କରିବା ସମ୍ପର୍କରେ ସଚେତନ କରିଥିଲେ। ଶିବିରର ସୁପରିଚାଳନାରେ ମୋରଡା, ଶାମାଖୁଣ୍ଟା ଏବଂ ବାରିପଦା ବ୍ଲକର ଅନ୍ତର୍ନିବେଶୀ ସାଧନ କର୍ମୀମାନେ ସକ୍ରିୟ ଭୂମିକା ଗ୍ରହଣ କରି କାର‌୍ୟ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲେ।