- ମହିଳାଙ୍କ ବିକାଶ ନୁହେଁ ମହିଳା ନେବେ ବିକାଶର ନେତୃତ୍ବ : ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବାରିପଦା : ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ, ସ୍ଵାବଲମ୍ବନ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ଲକ୍ ସ୍ତରୀୟ ମହାସଂଘ (ବି.ଏଲ୍.ଏଫ୍)ର ସଦସ୍ୟ ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ପୃଥକ୍ ପୃଥକ୍ ବାର୍ତ୍ତାଳାପ କରାଯିବା ସହ ମହିଳା ସଶକ୍ତୀକରଣ, ଉଦ୍ୟୋଗ ବିକାଶ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, “ମହିଳାଙ୍କ ବିକାଶ ନୁହେଁ, ମହିଳା ନେବେ ବିକାଶର ନେତୃତ୍ୱ” । ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ନୁହେଁ, ବରଂ ସେମାନଙ୍କୁ ରାଜ୍ୟର ବିକାଶ ପ୍ରକ୍ରିୟାର ଅଗ୍ରଣୀ ଭାଗୀଦାର ଭାବେ ଗଢ଼ି ତୋଳିବା । ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧି ସହ ସେମାନଙ୍କୁ ଉଦ୍ୟୋଗୀ ଓ ନିଷ୍ପତ୍ତି ଗ୍ରହଣକାରୀ ଭାବେ ସଶକ୍ତ କରିବାର ଏକ ଯୁଗାନ୍ତକାରୀ ପଦକ୍ଷେପ ।
ସେ କହିଥିଲେ ଯେ, ବ୍ଲକ୍ ସ୍ତରୀୟ ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ତୃଣମୂଳ ସ୍ତରରେ ଏହି ପରିବର୍ତ୍ତନର ପ୍ରମୁଖ ବାହକ । ସ୍ଥାନୀୟ ସମ୍ଭାବନାକୁ ଚିହ୍ନଟ କରି ଅଧିକରୁ ଅଧିକ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ି ତୋଳିବା, ମହିଳା ଉଦ୍ୟୋଗ ସୃଷ୍ଟି, ଡିଜିଟାଲ୍ ଆର୍ଥିକ କାରବାରକୁ ପ୍ରୋତ୍ସାହନ, ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡିଂ ଓ ବଜାର ସଂଯୋଗକୁ ସୁଦୃଢ଼ କରିବା ସହ ପୁଷ୍ଟିସାଧନ, ପରିମଳ, ବୃକ୍ଷରୋପଣ, ବାଲ୍ୟ ବିବାହ ନିରାକରଣ, ନିଶାମୁକ୍ତ ସମାଜ ଗଠନ ଏବଂ କୁପୋଷଣମୁକ୍ତ ଓଡ଼ିଶା ନିର୍ମାଣରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ ।
ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ପ୍ରତ୍ୟେକ ମହିଳାଙ୍କ ନିକଟରେ ପହଞ୍ଚାଇବାରେ ସୁଭଦ୍ରା ଶକ୍ତି ଏକ ସଶକ୍ତ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ ।
ବୈଠକରେ ବି.ଏଲ୍.ଏଫ୍ର ସାଙ୍ଗଠନିକ ସୁଦୃଢ଼ୀକରଣ, ‘ଲକ୍ଷପତି ଦିଦି’ ସୃଷ୍ଟି, ସୁଭଦ୍ରା ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ବ୍ୟାଙ୍କିଙ୍ଗ୍ ଓ ଡିଜିଟାଲ୍ ଆର୍ଥିକ କାରବାରର ସମ୍ପ୍ରସାରଣ, ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡିଂ ଓ ବଜାର ସଂଯୋଗ, ପୁଷ୍ଟିସାଧନ, ପରିମଳ, ବୃକ୍ଷରୋପଣ, ବାଲ୍ୟ ବିବାହ ନିରାକରଣ ଏବଂ କୁପୋଷଣମୁକ୍ତ ଓଡ଼ିଶା ଗଠନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା । ଏହା ସହ ଆଗାମୀ ୬ ମାସ ପାଇଁ ଏକ ସମନ୍ୱିତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ମୟୂରଭଞ୍ଜ ଓ ବାଲେଶ୍ୱରର ପ୍ରତ୍ୟେକ ପଞ୍ଚାୟତରେ ଅତିକମରେ ଗୋଟିଏ ସଫଳ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ସମ୍ମିଳନୀର ପ୍ରଥମ ଅଧିବେଶନରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ପ୍ରାୟ ୫୦୦ରୁ ଅଧିକ ବ୍ଲକ୍ ସ୍ତରୀୟ ମହାସଂଘ (ବି.ଏଲ୍.ଏଫ୍)ର ସଦସ୍ୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ସହ ସଂଗଠନର ଭୂମିକା, ମହିଳା ଉଦ୍ୟୋଗ ବିକାଶ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ସିଧାସଳଖ ବିସ୍ତୃତ ବାର୍ତ୍ତାଳାପ ଉପମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ସଦସ୍ୟ ମଧ୍ୟରେ ହୋଇଥିଲା ।
ସେହିପରି ଦ୍ୱିତୀୟ ଅଧିବେଶନରେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୮୦୦ରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (ସି.ଏସ୍.ଏସ୍.)ଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତୃଣମୂଳ ସ୍ତରରେ ମିଶନ ଶକ୍ତି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିରନ୍ତର ସହଯୋଗ, ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ଏବଂ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଅଧିକ ନିଷ୍ଠା, ସମନ୍ୱୟ ଓ ସକ୍ରିୟତାର ସହ କାର୍ଯ୍ୟ କରିବାକୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କୁ ଆହ୍ୱାନ ଜଣାଯାଇଥିଲା।
ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ୍ ନାଏକ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ ।
