Ratha e1784220427765 300x188

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ରାଜ୍ୟ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀର ଐତିହାସିକ ବଡ଼ଦାଣ୍ଡ। ବର୍ଷାର ପ୍ରତ୍ୟେକ ବୁନ୍ଦା ସହ ଆଧ୍ୟାତ୍ମିକ ଉତ୍ସାହରେ ଭିଜିଛି ପୁରୀ, ଯେଉଁଠି ବର୍ଷା ପାଣିରେ ମିଶିଯାଇଛି ଭକ୍ତର ଆଖିରୁ ଝରି ପଡ଼ୁଥିବା ଭକ୍ତିର ଲୁହ।
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତମାନଙ୍କ ପାରମ୍ପରିକ ଘଣ୍ଟ ବାଦ୍ୟର ତାଳେ ତାଳେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦିବ୍ୟ ଧାଡ଼ି ପହଣ୍ଡି ନୀତି। ସେବକଙ୍କ ବାହୁରେ ଝୁଲିଝୁଲି, ଟାହିଆ ହଲାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ଼ଦାଣ୍ଡକୁ ବିଜେ କରିଥିଲେ। ଏହି ଦିବ୍ୟ ରୂପ ଦେଖି ଦେଶ ବିଦେଶରୁ ଆସିଥିବା ଲକ୍ଷଲକ୍ଷ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ପହଣ୍ଡି ସରିବା ପରେ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ତିନି ରଥକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ବିଶ୍ୱ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଏହାପରେ ପାରମ୍ପରିକ ରାଜକୀୟ ଶୋଭାଯାତ୍ରାରେ ତିନି ରଥ ନିକଟରେ ପହଞ୍ଚିଥିଲେ ଗଜପତି ମହାରାଜା। ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ସେ ରଥ ଉପରେ ସୁବର୍ଣ୍ଣ ଖଡ଼ିକାରେ ପବିତ୍ର ଛେରାପହଁରା ନୀତି ସମ୍ପାଦନ କରିଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ ରାଜା ମଧ୍ୟ ଜଣେ ସାଧାରଣ ସେବକ— ଏହି ଅନନ୍ୟ ପରମ୍ପରା ସମଗ୍ର ବିଶ୍ୱକୁ ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥିଲା।
ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବହୁ ପ୍ରତୀକ୍ଷିତ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟି ଏବଂ ହରିବୋଲ ଧ୍ୱନିରେ ବଡ଼ଦାଣ୍ଡ କମ୍ପିଉଠିବା ସହ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ବଡ଼ ଠାକୁରଙ୍କ ରଥ ’ତାଳଧ୍ବଜ’। ଏହାପରେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଆନନ୍ଦ ଉଲ୍ଲାସର ସହ ଭକ୍ତମାନେ ଟାଣି ନେଇଥିଲେ।
ଆଜି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ଏହି ରଥଟଣା କାର୍ଯ୍ୟ ରାତି ପ୍ରାୟ ୭ଟା ୨୫ ମିନିଟରେ ବନ୍ଦ କରାଯାଇଛି। ପ୍ରଥମ ଦିନର ସୂଚନା ଅନୁଯାୟୀ: ତାଳଧ୍ବଜ ରଥ: ମାର୍କେଟ ଛକ ନିକଟରେ ପହଞ୍ଚିଛି।
ଦର୍ପଦଳନ ରଥ: ମରୀଚିକୋଟ ଛକରେ ଅଟକିଛି।
ନନ୍ଦିଘୋଷ ରଥ: ଅଳ୍ପ ବାଟ ଯିବା ପରେ ଅଟକି ରହିଛି।
ଆଜି ପାଇଁ ରଥଟଣା ସ୍ଥଗିତ ରହିଥିବା ବେଳେ ଆସନ୍ତାକାଲି ପୂର୍ବାହ୍‌ଣରେ ପୁଣି ଥରେ ଭକ୍ତମାନେ ତିନି ରଥକୁ ଟାଣି ଶରଧାବାଲିକୁ ନେବାର ସୁଯୋଗ ପାଇବେ। ବର୍ଷାର ପ୍ରଭାବ ସତ୍ତ୍ୱେ ଭକ୍ତ ଓ ଭଗବାନଙ୍କର ଏହି ଅପୂର୍ବ ମିଳନ ଶ୍ରୀକ୍ଷେତ୍ରକୁ ଏକ ଭାବମୟ ପରିବେଶରେ ଆନ୍ଦୋଳିତ କରି ରଖିଛି।