ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆମେରିକା ନେଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। କାରଣ ଆମେରିକୀୟ ସିନେଟରେ ଏକ ସଂଶୋଧିତ ବିଲ୍ ଉପସ୍ଥାପନ ହୋଇଛି, ଏଥିରେ ରୁଷରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଆଉ ଋଷ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ତାଲିକାରେ ଭାରତ, ଚୀନ, ହଙ୍ଗେରୀ, ସ୍ଲୋଭାକିଆ ଓ ଆଜରବୈଜାନ ଭଲି ଦେଶ ରହିଛନ୍ତି। ତେବେ କଣ ରହିଛି ଏହି ବିଲରେ? ଭାରତ ଉପରେ ଏହାର କଣ ପ୍ରଭାବ ପଡ଼ିପାରେ? ଆସନ୍ତୁ ଜାଣିବା
ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବାକୁ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଆମେରିକା। ଆମେରିକୀୟ ସିନେଟରେ ଉପସ୍ଥାପିତ ସଂଶୋଧିତ ବିଲ୍ରେ ରୁଷରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଏହି ଟାରିଫ୍କୁ ୫୦୦ ପ୍ରତିଶତ କରିବାର ପ୍ରସ୍ତାବ ଥିଲା। ପରେ ଏହାକୁ କମାଇ ୧୦୦ ପ୍ରତିଶତ କରାଯାଇଛି।
ଆଉ ଏହି ତାଲିକାରେ ରହିଛନ୍ତି ଭାରତ, ଚୀନ, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବୈଜାନ। ଏହି ବିଲ୍ର ମୂଳ ଉଦ୍ଦେଶ୍ୟ ହେଉଛି ରୁଷର ତୈଳ ବିକ୍ରିରୁ ହେଉଥିବା ଆୟକୁ କମାଇବା। ଆମେରିକା ମତରେ ତୈଳ ଓ ଗ୍ୟାସ୍ ବିକ୍ରିରୁ ମିଳୁଥିବା ଅର୍ଥକୁ ରୁଷ ଯୁକ୍ରେନ ବିରୋଧୀ ଯୁଦ୍ଧ ପାଇଁ ବ୍ୟବହାର କରୁଛି। ତେଣୁ ଏହି ଆୟକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ବିଲ୍ରେ ରୁଷର ଉର୍ଜା ପ୍ରକଳ୍ପ, କେନ୍ଦ୍ରୀୟ ବ୍ୟାଙ୍କ, ସରକାରୀ ଅଧିକାରୀ, ଶ୍ୟାଡୋ ଟ୍ୟାଙ୍କର ଓ ପ୍ରତିରକ୍ଷା ଶିଳ୍ପ ଉପରେ ମଧ୍ୟ କଡ଼ା ପ୍ରତିବନ୍ଧ ଲଗାଇବାର ପ୍ରସ୍ତାବ ରହିଛି।
ଭାରତ ପାଇଁ ଏହି ବିଲ୍ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଜୁନ୍ ୨୦୨୬ରେ ଭାରତ ରୁଷରୁ ରେକର୍ଡ ୨୬ ଲକ୍ଷ ୧୦ ହଜାର ବ୍ୟାରେଲ ପ୍ରତିଦିନ ଅଶୋଧିତ ତୈଳ ଆମଦାନୀ କରିଥିଲା। ଏହା ଦେଶର ମୋଟ ତୈଳ ଆମଦାନୀର ୫୨ ଦଶମିକ ୪ ପ୍ରତିଶତ। ଅର୍ଥାତ୍ ଭାରତକୁ ଆସୁଥିବା ପ୍ରତି ଦୁଇ ବ୍ୟାରେଲ ତୈଳରୁ ଗୋଟିଏରୁ ଅଧିକ ବ୍ୟାରେଲ ରୁଷରୁ ଆସିଥିଲା। ମେ’ ମାସ ତୁଳନାରେ ଜୁନ୍ରେ ରୁଷରୁ ତୈଳ ଆମଦାନୀ ପ୍ରାୟ ୩୯ ପ୍ରତିଶତ ବଢ଼ିଥିବା ତଥ୍ୟ ସାମ୍ନାକୁ ଆସିଛି।
ଭାରତ ବର୍ତ୍ତମାନ ସର୍ବାଧିକ ପରିମାଣରେ ଋଷ ଠାରୁ ତେଲ ଆମଦାନୀ କରୁଛି। ଜୁନ୍ ମାସରେ ଦେଶର ମୋଟ ୫୨.୪% ଅଶୋଧିତ ତୈଳ ରୁଷରୁ ଆମଦାନୀ ହୋଇଛି। ପ୍ରତିଦିନ ୨୬.୧ ଲକ୍ଷ ବ୍ୟାରେଲ କ୍ରୁଡ୍ ଅଏଲ୍ ଆମଦାନୀ ହେଉଥିବା ବେଳେ ମେ’ ତୁଳନାରେ ୩୯% ଅଧିକ ଆମଦାନୀ କରାଯାଇଛି। ରୁଷ ଏବେ ବି ଭାରତର ସବୁଠୁ ବଡ଼ ତୈଳ ଯୋଗାଣକାରୀର ଭୂମିକା ନିର୍ବାହ କରୁଛି। ତେଣୁ ଏତେ ମାତ୍ରାରେ ଋଷ ତୈଳ ଆମାଦନୀ କରୁଥିବା ଭାରତକୁ ଆମେରିକାର ଏହି ଶୁଳ୍କ କ୍ଷତି ପହଞ୍ଚାଇବ।
ତେବେ ସମସ୍ତ ଦେଶ ପାଇଁ ଏହି ନିୟମ ସମାନ ରହିବ ନାହିଁ। ଯେଉଁ ୟୁରୋପୀୟ ଦେଶ ରୁଷରୁ ୧୫ ପ୍ରତିଶତରୁ କମ୍ ପ୍ରାକୃତିକ ଗ୍ୟାସ୍ ଆମଦାନୀ କରୁଛନ୍ତି ଏବଂ ରୁଷ ଉପରେ ନିର୍ଭରଶୀଳତା କମାଉଛନ୍ତି, ସେମାନଙ୍କୁ ଛାଡ଼ ଦିଆଯିବାର ବ୍ୟବସ୍ଥା ରହିଛି। ଡେମୋକ୍ରାଟ୍ ସିନେଟର ରିଚାର୍ଡ ବ୍ଲୁମେନଥାଲ କହିଛନ୍ତି, ଏହି ବିଲ୍ ୟୁରୋପୀୟ ସହଯୋଗୀଙ୍କ ବିରୋଧରେ ନୁହେଁ। ବରଂ ଯେଉଁ ଦେଶ ଏବେ ବି ରୁଷର ତୈଳ ବ୍ୟବସାୟକୁ ସର୍ବାଧିକ ଆର୍ଥିକ ସହାୟତା ଦେଉଛନ୍ତି, ସେମାନଙ୍କୁ ଟାର୍ଗେଟ୍ କରାଯାଇଛି।
ଏହି ବିଲ୍ର ଆଉ ଏକ ବଡ଼ ବିଶେଷତ୍ୱ ହେଉଛି ଏହାକୁ ରିପବ୍ଲିକାନ୍ ଓ ଡେମୋକ୍ରାଟ୍—ଉଭୟ ଦଳର ସମର୍ଥନ ମିଳିଛି। ଆମେରିକୀୟ ରାଜନୀତିରେ ଏହାକୁ ବାଇପାର୍ଟିଜାନ୍ ବିଲ୍ କୁହାଯାଏ। ଫଳରେ ବିଲ୍ଟି ସିନେଟ ଓ ପ୍ରତିନିଧି ସଭାରୁ ପାରିତ ହେବାର ସମ୍ଭାବନା ବଢ଼ିଛି। ତେବେ ଏହା ଆଇନରେ ପରିଣତ ହେବା ପୂର୍ବରୁ ସିନେଟ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ରହିଛି।
ସଂଶୋଧିତ ବିଲରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶେଷ କ୍ଷମତା ମଧ୍ୟ ଦିଆଯାଇଛି। ଯଦି ସେ ଭାବନ୍ତି ଯେ ଆମେରିକାର ଜାତୀୟ ସ୍ୱାର୍ଥ ପାଇଁ ଆବଶ୍ୟକ, ତେବେ କୌଣସି ଦେଶକୁ ଟାରିଫ୍ କିମ୍ବା ପ୍ରତିବନ୍ଧରୁ ଛାଡ଼ ଦେଇପାରିବେ।
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ଏହି ପ୍ରସ୍ତାବିତ ବିଲ୍ ବିଶ୍ୱ ଉର୍ଜା ବଜାର ଓ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ବଡ଼ ପ୍ରଭାବ ପକାଇପାରେ। ବିଶେଷକରି ରୁଷରୁ ବ୍ୟାପକ ପରିମାଣରେ ତୈଳ ଆମଦାନୀ କରୁଥିବା ଭାରତ ଭଳି ଦେଶ ପାଇଁ ଏହି ବିଲ୍ ଆଗାମୀ ଦିନରେ କେଉଁ ଦିଗକୁ ମୋଡ଼ ନେବ, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।
