IMG 20260713 WA0263

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ
ବାରିପଦା : ଆଜି ସୋମବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ  କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ  ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୟୂରଭଞ୍ଜ ସାଂସଦ  ନବଚରଣ ମାଝୀ, ବାରିପଦା ବିଧାୟକ  ପ୍ରକାଶ ସୋରେନ୍‌ ଓ ମୟୂରଭଞ୍ଜ ମହାରାଜା  ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ଆଲୋକପାତ କରିବା ସହ ଆୟୁର୍ବେଦିକ ଓ ହୋମିଓପାଥି କଲେଜର ଭାର ବିଶ୍ୱବିଦ୍ୟାଳୟ ନେବା ଉଚିତ୍‌ ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ତଥା ମୟୂରଭଞ୍ଜ ଏବଂ ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ତରଫରୁ ବିଶ୍ୱବିଦ୍ୟାଳୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମୟୂରଭଞ୍ଜ ସାଂସଦ  ନବଚରଣ ମାଝୀ ନିଜ ବକ୍ତବ୍ୟରେ କେବଳ ଶିକ୍ଷା ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକୁ ପ୍ରଂଶସା କରିଥିଲେ । ବାରିପଦା ବିଧାୟକ ପ୍ରକାଶ ସୋରେନ୍ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଶିମିଳିପାଳ ଓ ଆଦିବାସୀ ଜନଜାତିଙ୍କ ଉପରେ ଗବେଷଣାରେ ବ୍ରତୀ ହେବାକୁ ନିବେଦନ କରିଥିଲେ । ମୟୂରଭଞ୍ଜ ମହାରାଜା  ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ, ବିଶ୍ୱବିଦ୍ୟାଳୟ ଗଠନରେ ମୟୂରଭଞ୍ଜ ରାଜପରିବାରର ଅବଦାନକୁ ସ୍ମରଣ କରିଥିଲେ । ବିଶେଷ କରି ମହାରାଣୀ ତକତ କୁମାରୀଙ୍କର ଦ୍ୱାରା ଶିକ୍ଷାର ବିକାଶ ପାଇଁ ଦାନ କରାଯାଇଥିବା ୩୦୦ ଏକର ଜମିରୁ, ବିଶ୍ୱବିଦ୍ୟାଳୟ ୯୮ ଏକର ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ୭୭ ଏକର ବ୍ୟବହାର କରାଯାଇଛି କିନ୍ତୁ ବାକି ଜମିଗୁଡ଼ିକ ଶିକ୍ଷା ପାଇଁ ବ୍ୟବହାର ହୋଇନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରି ଏହାର ସଦୁପଯୋଗ ପାଇଁ ମନ୍ତୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଗୁରୁଙ୍କ ଆଶୀର୍ବାଦରେ ଛାତ୍ରଛାତ୍ରୀମାନେ କିଭଳି ସମାଜରେ ପ୍ରତିଷ୍ଠା କରିପାରନ୍ତି ତାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ । ସେଭଳି ଜଣେ ସଫଳ ଶିକ୍ଷକ ଅନୁଷ୍ଠାନର ବିକାଶରେ କିଭଳି ପରିବର୍ତ୍ତନ ଆଣିପାରେ ସେ ବିଷୟରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଭଗବତ୍‌ ସତ୍ତା ପ୍ରତି ଆସ୍ଥା ରଖି ନିଜର କର୍ତ୍ତ୍ୟବ୍ୟକୁ ସୁଚାରୁ ରୂପେ ପ୍ରତିପାଦିତ କଲେ ସଫଳତା ମିଳିପାରିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସଭାରେ ବନ୍ଦେ ମାତରଂ, ଜାତୀୟ ସଙ୍ଗୀତ, ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ବିଶ୍ୱବିଦ୍ୟାଳୟ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ବିଶ୍ୱବିଦ୍ୟାଳୟର ନୂତନ ୱେବ୍‌ସାଇଟ୍‌ ଲୋକାର୍ପଣ କରାଯାଇଥିଲା ଏବଂ ମୟୂରଭଞ୍ଜ ସାଂସଦ  ନବଚରଣ ମାଝୀଙ୍କ କରକମଳରେ ଆପ୍‌ନାଇ ଟେକ୍ନୋଲଜିର ସହଭାଗିତାରେ ଭାରତର ପ୍ରଥମ ଏଆଇ ରୁରାଲ୍‌ ହସ୍‌ପିଟାଲ୍‌ର ଲୋକାର୍ପଣ କରାଯାଇଥିଲା । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟ ତରଫରୁ ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।  ଅତିଥିମାନଙ୍କ ଦ୍ୱାରା ‘ବାର୍ଷିକ ରିପୋର୍ଟ’ ଓ ‘ବିଶ୍ୱବିଦ୍ୟାଳୟ ସମ୍ବାଦପତ୍ର’ ଉନ୍ମୋଚନ କରାଯାଇଥିଲା ।  କୁଳସଚିବ  ସୁମିତା ସିଂ ୨୦୨୫-୨୬ ମସିହାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସର୍ବ ଶେଷରେ ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଭରତ ଚନ୍ଦ୍ର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଉନ୍ନତ ଭାରତ ଅଭିଯାନ ମାଧ୍ୟମରେ ମୟୂରଭଞ୍ଜର ପାଞ୍ଚୋଟି ଗ୍ରାମ ଯଥା ନଦୀଗାଁ, ହଦହଦି, ବାଲିପାଳ, ବୁଢ଼ିଖମାରୀ ଓ ଶଙ୍ଖାଭଙ୍ଗା ଗ୍ରାମକୁ ପୋଷ୍ୟ କରାଯାଇଅଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା ।
ପ୍ରତିଷ୍ଠା ଦିବସ ଅବସରରେ ଗତ ୨୦୨୫ ବର୍ଷ ପାଇଁ “ଭୂମି ଗୌରବ” ସମ୍ମାନ ମୟୂରଭଞ୍ଜର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ  ଶରତ ଚନ୍ଦ୍ର ନାୟକ, ଡକ୍ଟର ବନଜା ମହାନ୍ତି ଏବଂ ଇଂ. ରବିନାରାୟଣ ଭୂୟାଁଙ୍କୁ ଏବଂ ଚଳିତ ୨୦୨୬ ମସିହା ଲାଗି  ପରେଶ ଚନ୍ଦ୍ର ସାହୁ (କଳା ଓ ସଂସ୍କୃତି),  ବିବେକାନନ୍ଦ ପଟ୍ଟନାୟକ (ସମାଜସେବା) ଏବଂ  ହରିଶ୍ଚନ୍ଦ୍ର ହୋତା (ଶିକ୍ଷା)ଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ “ଭୂମି ଗୌରବ” ସମ୍ମାନ ପ୍ରଦାନ କରାଯାଇଥିଲା । ଏ ଅବସରରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଦର୍ଶନ ନନ୍ଦ ଏବଂ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିବା ପ୍ରଫେସର ବବ୍ରୁବାହନ ମହାପାତ୍ର, ପ୍ରଫେସର ଜୀବେନ୍ଦୁ କୁମାର ମନ୍ତ୍ରୀ ଓ ପ୍ରଫେସର ମିନତୀ ମଲ୍ଲିକକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ୨୦୨୫ ବର୍ଷ ପାଇଁ ଅଣଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ସୌମ୍ୟଜିତ ମିଶ୍ର ଓ ବିଶ୍ୱଜିତ ଦଳେଇଙ୍କୁ ଏବଂ ଚଳିତବର୍ଷ ପାଇଁ  ସନ୍ଦୀପ୍ତା ରାଉତ ଓ  କବିତା ପଣ୍ଡାଙ୍କୁ ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ମାନିତ କରାଯାଇଥିଲା । ଏତଦ୍‌ବ୍ୟତୀତ, ୨୦୨୫ ମସିହାର ପ୍ରାଣୀବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ୱର ହାସଲ କରିଥିବା ପ୍ରାଣୀବିଜ୍ଞାନ ବିଭାଗର ଏସ୍.ସି. ଅଞ୍ଜଳିଙ୍କୁ “କୁମୁଦିନୀ ମେମୋରିଆଲ୍ ପୁରସ୍କାର” ପ୍ରଦାନ କରାଯାଇଥିଲା । ୨୦୨୬ ବର୍ଷର ଶ୍ରେଷ୍ଠ ଇତିହାସ ସ୍ନାତକଭାବେ ଉଦଳାସ୍ଥିତ ଆଇ.ଜି. ମହିଳା ମହାବିଦ୍ୟାଳୟର ବିଦୁସ୍ମିତା ଘୋଷଙ୍କୁ “ଡକ୍ଟର ଅଶୋକ ପ୍ରିୟଦର୍ଶୀ ସ୍ମାରକ ପୁରସ୍କାର” ପ୍ରଦାନ କରାଯାଇଥିଲା । ସେହିପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ବିଜେତାଗଣ ଫକୀରମୋହନ ବିଶ୍ୱବିଦ୍ୟାଳୟର ଲିପ୍‌ସା ଲୋପାମୁଦ୍ରା ବାରିକ (ପ୍ରଥମ), ସଂଘମିତ୍ରା ମହାନ୍ତି (ଦ୍ୱିତୀୟ) ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୁଭାକାଂକ୍ଷିନୀ ତ୍ରିପାଠୀ (ତୃତୀୟ) ଙ୍କୁ “ପ୍ରଫେସର ଦୀପକ ଷଡ଼ଙ୍ଗୀ ସ୍ମାରକ ପୁରସ୍କାର” ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ସେବା କରିଥିବା ପ୍ରୋଗ୍ରାମ୍ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା  । ଅନୁଷ୍ଠିତ ଏହି ସମାରୋହରେ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିଗଣ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ, ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀ, ନିମନ୍ତ୍ରିତ ଅତିଥି ଗଣ, ଗଣମାଧ୍ୟମ ପ୍ରତିନିଧିଗଣ ଉପସ୍ଥିତଥିଲେ ।