8333bbc2 7b60 4456 a057 95e95030b44b

ଫୁଲବାଣୀରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ

ରାଜ୍ୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଅଧିବେଶନ, ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଜୁଲାଇ ୧୨ ତାରିଖ ରବିବାର ଦିନ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଦୁଇଟି ପୃଥକ ଅଧିବେଶନରେ ବହୁ ବିଶିଷ୍ଟ ଅତିଥି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ।

ପ୍ରଥମ ଅଧିବେଶନ: ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଡ. ଅରୂପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସାମ୍ବାଦିକମାନଙ୍କ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ଆଲୋକପାତ କରିବା ସହ ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅଧିବେଶନରେ ସମ୍ମାନିତ ଅତିଥି ଭାବେ ପୋଲିସ ଡି.ଏସ.ପି (HRPC) ଗୋବିନ୍ଦ ଚନ୍ଦ୍ର ବୁରୁଦା, କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ୱାଇଁ, ଉପସଭାପତି ସନ୍ତୋଷ ଦିଗାଲ ଓ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବ କମିଟିର ଆବାହକ ସୁନୀଲ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଅଶୋକ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନ: ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ‘ଏସିଆନ ଏଜ୍’ର ରେସିଡେଣ୍ଟ ଏଡିଟର ଅକ୍ଷୟ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ସମାଜ ଗଠନରେ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅଧିବେଶନରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା ଓ ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ତଥା ସଭାପତି ଡ. ଅରୂପ ଜେନା, ଆବାହକ ସୁନୀଲ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଅଶୋକ ପରିଡ଼ା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗକୁ ଉପସଭାପତି ସନ୍ତୋଷ ଦିଗାଲ, ସଂଗଠନ ସମ୍ପାଦକ ଜୟ ସେନ ପରିଡ଼ା, ମୁସ୍କାନ୍ ସ୍ୱାଇଁ, ନିବେଦିତା ଖଡ଼ଙ୍ଗା ଏବଂ ସ୍ୱେଚ୍ଛାସେବୀ ଅଶୋକ ପ୍ରଧାନ ପ୍ରମୁଖ ସଚାରୁରୂପେ ପରିଚାଳନା କରିଥିଲେ।

ରାଜ୍ୟ ସ୍ତରୀୟ ପ୍ରତିନିଧି ଓ ବରିଷ୍ଠ ସଦସ୍ୟ ସମ୍ବର୍ଦ୍ଧିତ

ଏହି ମହାନ ଅବସରରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ଓଡ଼ିଶାର ବରିଷ୍ଠ ସଦସ୍ୟ ତଥା ସଂଘର କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କୁ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ଜିଲ୍ଲା ସଭାପତି ଡ. ଅରୂପ ଜେନା ଏବଂ ରାୟଗଡ଼ା ଜିଲ୍ଲା ପ୍ରତିନିଧି ଡ. ଗୌରାଙ୍ଗ ଚରଣ ରାଉତଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହାସହ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, ଯାଜପୁର, ପିପିଲି, ପୁରୀ, ଖୋର୍ଦ୍ଧା, ବାଙ୍କୀ, ବୌଦ୍ଧ, ଗଜପତି ଓ ନୟାଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ସାମ୍ବାଦିକ ଓ ପ୍ରତିନିଧିମାନଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।