ବାହାମାସ : ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଲା । ସମସ୍ତଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି ।
ସୂଚନାନୁଯାୟୀ, ଏହା ଏକ ଦୁଇଟି ଇଞ୍ଜିନ୍ ବିଶିଷ୍ଟ Cessna 402 ବିମାନ ଥିଲା । ଏହି ଦ୍ୱୀପପୁଞ୍ଜର ରାଜଧାନୀ ନାସାଉର ପଶ୍ଚିମରେ ସମୁଦ୍ରରେ ଅବସ୍ଥିତ ଉତ୍ତର ଆଣ୍ଡ୍ରୋସରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ନାସଉର ଲିଣ୍ଡେନ ପିଣ୍ଡଲିଂ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ସାନ ଆଣ୍ଡ୍ରୋସ ଅଭିମୁଖେ ଯାଉଥିଲା । ଅବତରଣ କରିବା ପୂର୍ବରୁ ବିମାନଟି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ ପାଇନ୍ ୟାର୍ଡ ଅଞ୍ଚଳର ଏକ ଘଞ୍ଚ ବୁଦାଳିଆ ଜଙ୍ଗଲରେ କ୍ରାସ୍ କରିଥିଲା । ବିମାନରେ ୯ ଜଣ ଯାତ୍ରୀ ଏବଂ ୧ ଜଣ ପାଇଲଟ୍ ଥିଲେ । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଜଣେ ଜୀବିତ ଥିଲେ । ହେଲେ ଚିକିତ୍ସା ସମୟରେ ସେହି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ବାହାମାସର ବିମାନ ଚଳାଚଳ ମନ୍ତ୍ରଣାଳୟ ସୁରକ୍ଷା ଦୃଷ୍ଟିରୁ ଫ୍ଲେମିଙ୍ଗୋ ଏୟାରର ‘ଏୟାର ଅପରେଟର ସାର୍ଟିଫିକେଟ୍’କୁ ସାମୟିକ ଭାବେ ସ୍ଥଗିତ ରଖିଛି । ବାହାମାସର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ଅଥରିଟି (AAIA) ର ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବ୍ଲାକ୍ ବକ୍ସ ଏବଂ ବିମାନର ଭଗ୍ନାବଶେଷକୁ ଯାଞ୍ଚ କରିଛନ୍ତି ।
