IMG 20260710 WA0208

ଲଡୁ ବଣ୍ଟନକୁ ନେଇ ଗୁଜବର ଅବସାନ, ରଥରୁ ହିଁ ହେବ ଲଡୁ ପ୍ରସାଦ ବଣ୍ଟନ: ଉପଜିଲ୍ଲାପାଳ ବାରିପଦା

ରାଜ୍ୟ
ବାରିପଦା :ବାରିପଦାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ଲଡୁ ପ୍ରସାଦ ବଣ୍ଟନ ସମ୍ପର୍କରେ ସଠିକ୍ ସୂଚନା ସାଧାରଣ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଏ ସମ୍ପର୍କରେ ସୃଷ୍ଟି ହୋଇଥିବା ବିଭ୍ରାନ୍ତିର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆଜି ଉପଜିଲ୍ଲାପାଳ, ବାରିପଦା ଶ୍ରୀମତୀ କସ୍ତୁରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉପଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ବାରିପଦା ରଥଯାତ୍ରାର ପାରମ୍ପରିକ ନୀତିକାନ୍ତି ଏବଂ ଲଡୁ ପ୍ରସାଦ ବଣ୍ଟନ ପ୍ରଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ରଥରୁ ହିଁ ଭକ୍ତମାନଙ୍କ ମଧ୍ୟରେ ମହାପ୍ରଭୁଙ୍କ ଲଡୁ ପ୍ରସାଦ ବଣ୍ଟନ କରାଯିବ ।
               ସେ କହିଥିଲେ ଯେ, ରଥଯାତ୍ରାରେ ପ୍ରତିବର୍ଷ ବୃଦ୍ଧି ପାଉଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସାଦ ବଣ୍ଟନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ, ସୁବ୍ୟବସ୍ଥିତ ଓ ସୁରକ୍ଷିତ କରିବା ପାଇଁ ଆବଶ୍ୟକ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ କେବଳ ଭିଡ଼ ପରିଚାଳନା, ଭକ୍ତମାନଙ୍କ ସୁବିଧା ଏବଂ ସୁରକ୍ଷା ସୁନିଶ୍ଚିତ କରିବା । ତେଣୁ ରଥଯାତ୍ରାର ପାରମ୍ପରିକ ନୀତିକାନ୍ତି କିମ୍ବା ଲଡୁ ପ୍ରସାଦ ବଣ୍ଟନ ପ୍ରଥାରେ କୌଣସି ବ୍ୟତିକ୍ରମ ଘଟିନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।
               ଉପଜିଲ୍ଲାପାଳ ସାଧାରଣ ଜନସାଧାରଣଙ୍କୁ ଲଡୁ ପ୍ରସାଦ ବଣ୍ଟନ ସମ୍ପର୍କରେ ପ୍ରଚାରିତ କୌଣସି ଅପ୍ରମାଣିତ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନକରି କେବଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ଆଧିକାରିକ ସୂଚନା ଉପରେ ବିଶ୍ୱାସ ରଖିବାକୁ ଅନୁରୋଧ କରିଥିଲେ । ସେହିପରି ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାରେ ସହଯୋଗ କରି ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଏକ ସୁରକ୍ଷିତ ଓ ସୁଚାରୁ ରଥଯାତ୍ରା ଆୟୋଜନରେ ସହଭାଗୀ ହେବାକୁ ସମସ୍ତ ଭକ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।
               ଏହି ସାମ୍ବାଦିକ ସମ୍ମିଳନୀରେ ବାରିପଦା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଭାତ ମଲ୍ଲିକ, ବାରିପଦା ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟାଙ୍କ ସମେତ ମନ୍ଦିର ନିଯୋଗର ସେବାୟତଗଣ ଉପସ୍ଥିତ ଥିଲେ ।